ମାର୍କେଟ କମ୍ପ୍ଲେକ୍ସକୁ ନେଇ ବିଡିଓଙ୍କ ଦ୍ୱାରସ୍ଥ 

 କୋକସରା : କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ମୌଜାରେ ଥିବା ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣର ଦୀର୍ଘ ବର୍ଷ ବିତିଗଲାଣି । ହେଲେ ଆଜି ପର୍ଯ୍ୟନ୍ତ ସରକାରୀସ୍ତରରେ କୌଣସି ନିଲାମ ନ ହୋଇ ଜଣେ ପ୍ରଭାବଶାଳୀ ବ୍ୟକ୍ତି ତାହା ପୁଣି ବ୍ଲକ ବାହାରର ବ୍ୟକ୍ତିକୁ ଟେକି ଦେଇ ଢ଼ାବା ଖୋଲିବାକୁ ଅନୁମତି ଦେଇଛି ମୋଟେର ପଞ୍ଚାୟତ କର୍ତ୍ତୃପକ୍ଷ । ଚାରି କୋଠରୀ ବିଶିଷ୍ଟ ଘରକୁ ଭାଙ୍ଗି ମୋଟେର ପଞ୍ଚାୟତ କର୍ତ୍ତୃପକ୍ଷ ଜଣକ ହାତରେ ବିନା ନିଲାମରେ ଟେକି ଦେବା ଓ ବେସରକାରୀ ନିୟମରେ ଅର୍ଥ ଉପାର୍ଜନ କଲା ଭଳି ପନ୍ଥା ଆପଣେଇବା ସାଧାରଣରେ ଆଲୋଡନ ସୃଷ୍ଟି ହେଉଛି । ଆଶା ଥିଲା ପଞ୍ଚାୟତ ଅଧିନର କିଛି ବେକାର ଯୁବକ ଦୋକାନ ବଜାର କରି ଆତ୍ମନିର୍ଭରଶୀଳ ହୋଇ ପରିବାର ପ୍ରତିପୋଷଣ କରିବେ । କିନ୍ତୁ ପଞ୍ଚାୟତର ଏପରି କାର୍ଯ୍ୟକୁ ସାଧାରଣରେ ସନେ୍ଦହ ହେବା ସହ ସାମୂହିକ ଭାବରେ କେମିତି ଅଧିକ ଲୋକ ରୋଜଗାରକ୍ଷମ ହେଇପାରିବେ ସେ ନେଇ କୁସୁମଖୁଣ୍ଟି ଗ୍ରାମର ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଦରଖାସ୍ତ କୋକସରା ବିଡ଼ିଓ ଡ.ହିମାଞ୍ଚଳ ମାଝୀ ଓ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କୁ ପ୍ରଦାନ କରାଯାଇଛି । ଏ ନେଇ କୋକସରା ବିଡ଼ିଓ ଡ଼.ମାଝୀ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ନୂତନ ଭାବରେ ତିଆରି ହେବାକୁ ଥିବା ମାର୍କେଟ କମ୍ପ୍ଲେକ୍ସ ଜାଗା ଚିହ୍ନଟ ପରେ ନିର୍ମାଣ ହେବ ବୋଲି ଶ୍ରୀ ଜେନା କହିଛନ୍ତି ।