ସବୁ ଏସପିଙ୍କୁ ସ୍ମାରକପତ୍ର ଦେଲା ବିଜେଡି  : ଆଦିବାସୀଙ୍କୁ ମିଳୁନି ନ୍ୟାୟ 

 ଭୁବନେଶ୍ୱର :  ମହିଳା ଉପରେ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ବିଜେପି କରୁଛି ମା’ ନାଁରେ ବୃକ୍ଷରୋପଣ । ୧୪ମାସର ବିଜେପି ସରକାରରେ ମାଆମାନଙ୍କ ଓଠରୁ ହସ ଲିଭିଯାଇଛି  । ଭୟର ବାତାବରଣ ମଧ୍ୟରେ ଅଛନ୍ତି ଓଡିଶାର ମାତୃଶକ୍ତି । ଶିକ୍ଷାନୁଷ୍ଠାନ, କର୍ମକ୍ଷେତ୍ର, ରାସ୍ତାଘାଟ କେଉଁଠି ବି ମହିଳା ସୁରକ୍ଷିତ ନାହାନ୍ତି । ୧୪ ମାସରେ ୩୫୦୦ରୁ ଊଦ୍ଧ୍ୱର୍୍ କୁକର୍ମ ଓ ଗଣକୁକର୍ମ ପ୍ରତ୍ୟେକ ପରିବାରର ମାନସିକ ଶାନ୍ତିକୁ ଦୋହଲାଇ ଦେଇଛି । ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ସକାଶେ ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହେଉଛି । ଏହି ପ୍ରସଙ୍ଗରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି  । ସଭାପତିଙ୍କ ନିଦେ୍ର୍ଦଶକ୍ରମେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଆହ୍ୱାନରେ ମହିଳା ବିଜେଡି ରାଜ୍ୟବ୍ୟାପୀ ସମସ୍ତ ଜିଲ୍ଲା ଏସପି ଅଫିସ୍ ସମ୍ମୁଖରେ ଏହାର ପ୍ରତିବାଦ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ୍ ଡିଜିଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲା । ଏହି ପରିପ୍ରେକ୍ଷୀରେ ସମସ୍ତ ୩୫ଟି ବିଜେଡି ସାଙ୍ଗଠନିକ ଜିଲ୍ଲାର ପଦାଧିକାରୀ ଓ ସାଧାରଣ ମହିଳା ଏହି କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ସାମିଲ ହୋଇଥିଲେ । 
ସେହିପରି ରାଜ୍ୟ ସରକାର ଗରିବ ଖଟିଖିଆଙ୍କ ଠାରୁ ଟିକସ ମାଧ୍ୟମରେ ଆଦାୟ ହୋଇଥିବା ରାଜସ୍ୱକୁ ନିଜ ପ୍ରଚାରରେ ଖର୍ଚ୍ଚ କରୁଛନ୍ତି କିନ୍ତୁ ରାଜ୍ୟର ଛାତ୍ରଛାତ୍ରୀ ବିଶେଷକରି ଆଦିବାସୀ ଓ ଦଳିତ ବର୍ଗର ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥ ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ  ପ୍ରଦୀପ ମାଝୀ ଓ ଦଳର ମିଡ଼ିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଗତ ୧୫ ମାସର ବିଜେପି ଶାସନରେ ଗୋଟିଏ ବି ସ୍କୁଲ କିମ୍ବା ହଷ୍ଟେଲ ଆଦିବାସୀ ଓ ଦଳିତଙ୍କ ପାଇଁ ଖୋଲାଯାଇ ନାହିଁ । ଆଦିବାସୀ ଓ ଦଳିତ ଛାତ୍ରୀମାନେ ରହୁଥିବା ହଷ୍ଟେଲ ଗୁଡିକରେ ଅନେକ ଛାତ୍ରୀ ଗର୍ଭବତୀ ହେଉଥିବା ଖବର ଆସୁଛି, ଯେଉଁଥିରୁ ହଷ୍ଟେଲରେ ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ତେଣୁ ରାଜ୍ୟର ଆଦିବାସୀବର୍ଗର ଲୋକମାନଙ୍କୁ ସରକାର ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି ବୋଲି ସେମାନେ କହିଛନ୍ତି ।