ଦୌଡ଼ି ଦୌଡ଼ି ନୟାନ୍ତ ଜନତା 

ଦାନଗଦୀ: ଛୁଟି ପରେ ଖୋଲିଲାଣି ସ୍କୁଲ କଲେଜ୍ । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ସାର୍ଟିଫିକେଟ୍ ଆବଶ୍ୟକତା ପଡୁଛି । ଏନେଇ ଛାତ୍ରଛାତ୍ରୀ ହୁଅନ୍ତୁ କି ଅଭିଭାବକ ଆରଆଇରୁ ତହସିଲ କାର୍ଯ୍ୟାଳୟରୁ ବିଭିନ୍ନ ପ୍ରମାଣପତ୍ର ପାଇଁ ଦୌଡ଼ୁଛନ୍ତି । ହେଲେ ଦାନଗଦୀ ଆରଆଇ କାର୍ଯ୍ୟାଳୟରୁ ପ୍ରମାଣପତ୍ର ମିଳିବାଟା ସହଜ ହେଉନି । ଛାତ୍ରଛାତ୍ରୀ-ଅଭିଭାବକ ଦୈାଡ଼ି ଦୈାଡ଼ି ନୟାନ୍ତ ହେବା ସହ ହାତଗୁଞ୍ଜା ନଦେଲେ ସହଜରେ ମିଳୁନି ପ୍ରମାଣପତ୍ର ବୋଲି ହୋଇଛି ଅଭିଯୋଗ ।
 ଦାନଗଦୀ ତହସିଲ ଅଧିନରେ ଦୀର୍ଘ ୧୦ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଆର୍ଆଇ ଶିବାନୀ ସିଂ ବର୍ତ୍ତମାନ ସ୍କୁଲ କଲେଜ୍ ଗୁଡିକ ଖୋଲିବା ପରେ ବି ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ସାର୍ଟିଫିକେଟ୍ ପ୍ରଦାନ କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରିଚାଲିଥିବା ଅଭିଯୋଗ ହୁଏ । ଏପରି ପରିସ୍ଥିତିରେ ଅନ୍ଲାଇନ୍ରେ ଆବେଦନ କରି ତହସିଲ କାର୍ଯ୍ୟାଳୟରୁ ପ୍ରମାଣପତ୍ର ପାଇବାକୁ ଅପେକ୍ଷା ରଖୁଥିବା ଛାତ୍ରଛାତ୍ରୀ-ଅଭିଭାବକ ଆର୍ଆଇ କାର୍ଯ୍ୟାଳୟରୁ ଦରଖାସ୍ତ ମଞ୍ଜୁରୀ କରିବାଟା ସହଜ ହେଉନି । ଏଠାରେ ପ୍ରତି ପ୍ରମାଣପତ୍ର ବାବଦକୁ ୨ଶହରୁ ୫ଶହ ଟଙ୍କା ନଦେଲେ ମଞ୍ଜୁରୀ ପାଉନଥିବା ଅଭିଯୋଗ ହେଉଛି । କେବଳ ସେତିକି ନୁହଁ ଜମିଜମାର କିସମ ପରିବର୍ତନ ଠାରୁ ଆରମ୍ଭ କରି ମୁ୍ୟଟେସନ୍, ବାଲି ମାଟି ମୋରମ ଉଠାଇବା ପାଇଁ ଅନୁମତି, ଲିଗାଲହେୟାର, ଓଏଲ୍ଆର୍ ଅନୁମତି ବାବଦ ତଦନ୍ତ କାର୍ଯ୍ୟ ଆର୍ଆଇଙ୍କ ଉପରେ ରହିଥିବା ବେଳେ ଏଥିରେ ମଧ୍ୟ  ବଟି ଆଦାୟ ଚାଲିଥିବା ଅଭିଯୋଗ ହେଉଛି । ପ୍ରଜାଙ୍କ ଅଭିଯୋଗ ମତେ ଗତ ୨୦୧୪ ମସିହାରେ ଶିବାନୀ ସିଂ ଏଆର୍ଆଇ ଭାବରେ ଦାନଗଦୀ ତହସିଲରେ ଯୋଗ ଦେଇଥିଲେ । ପ୍ରଥମେ ସେ ଦାନଗଦୀ ଆର୍ଆଇ ସର୍କଲରେ ଏବଂ ପରେ ତାଙ୍କୁ ମାଣତିରା ସର୍କଲରେ ଅବସ୍ଥାପିତ କରାଯାଇଥିଲା । ମାଣତିରା ସର୍କଲରେ ପାଦ ଦେଉଦେଉ ସେଠାରେ ବ୍ୟାପକ ଭାବରେ ବାଲି ଆଉ ମୋରମ୍ ଭଳି ଲଘୁ ଖଣିଜ ସମ୍ପଦର ଖୁଲମଖୁଲା ଚୋରା କାରବାର ଆରମ୍ଭ ହୋଇଯାଇଥିଲା । ମାଫିଆ ମାନଙ୍କ ସହିତ ସାମିଲ୍ ହେବା ଆଉ ସେମାନଙ୍କୁ ରିତିମତ୍ ସୁରକ୍ଷା ଦେଉଥିବା ନେଇ ସେତେ ବେଳେ ଅନେକ ଅଭିଯୋଗ ହୋଇଥିଲା । ଫଳରେଶିବାନୀଙ୍କୁ ତୁରନ୍ତ ମାଣତିରା ସର୍କଲରୁ ପୁଣିଥରେ ଦାନଗଦୀ ସର୍କଲକୁ ପଠାଇ ଦିଆଯାଇଥିଲା । ଦାନଗଦୀରେ ଅବସ୍ଥାପିତ ଥିବା ସମୟରେ ଗତ୨୦୨୧ ମସିହା ନଭେମ୍ବର ମାସରେ ତାଙ୍କୁ ଆର୍ଆଇ ପଦବୀକୁ ପଦୋନ୍ନତି ମିଳିଥିଲା ସତ ହେଲେ ପୂର୍ବପରି ଆସ୍ଥାନ ଜମାଇବାରେ ସକ୍ଷମ ହୋଇଥିଲେ । ଗୋଟିଏ ତହସିଲରେ ଦିର୍ଘ ୧୦ବର୍ଷ ଅବସ୍ଥାପିତ ପରେ ସୁଧା ରାଜ୍ୟ ସରକାରଙ୍କ ୩ ବର୍ଷିଆ ବଦଳୀ ନିୟମ ତାଙ୍କ କ୍ଷେତ୍ରରେ କାର୍ଯ୍ୟ କରିନଥିଲା । ଦାନଗଦୀରେ ଶହଶହ ଏକର ଜଙ୍ଗଲ କିସମ ଜମି ଜବରଦଖଲ ହୋଇଚାଲିଥିଲେ ହେଁ ଆରଆଇ କାର୍ଯ୍ୟାନୁଷ୍ଠାନ ସୁପାରିଶ୍ କରିବା ବଦଳରେ ହାତବାନ୍ଧି ବସିରହିଛନ୍ତି । ଯାହାକୁ ନେଇ ଆରଆଇଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ ବଢିବା ସହ ବଦଳି ଦାବି ହୋଇଆସୁଥିବା ବେଳେ ନିକଟରେ ତାଙ୍କୁ ଦାନଗଦୀ ସହିତ ମାଣତିରା ସର୍କଲର ଅତିରିକ୍ତ ଦାୟିତ୍ୱ ଦିଆଯିବା ଘଟଣା ପ୍ରଶାସନୀକ କଳରେ ତାଙ୍କ ଲମ୍ବାହାତ ଥିବା କଥା ବେଶ ଚର୍ଚ୍ଚାର ବିଷୟ ହୋଇଛି ।