ସମ୍ବଲପୁରରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ 


 ଭୁବନେଶ୍ୱର: ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ  । ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ନେଇ ଆଲୋଚନା କରାଯାଇଛି  । 
କେନ୍ଦ୍ର କୃଷି ବିଶ୍ୱ ବିଦ୍ୟାଳୟ ଅଧିନିୟମ, ୧୯୯୨ ଅନୁଯାୟୀ ସମ୍ବଲପୁରରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯାଇଥିଲା  । କୃଷି ଓ ଆନୁଷଙ୍ଗିକ ବିଜ୍ଞାନରେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ସ୍ନାତକ ଓ ସ୍ନାତକୋତ୍ତର ସୃଷ୍ଟି କରିବା ଏବଂ ଏହି କ୍ଷେତ୍ରରେ ଉତ୍ପାଦ ବୃଦ୍ଧି ଓ ଲାଭଦାୟକ କୃଷି ପ୍ରଣାଳୀ ବିକଶିତ କରିବାରେ ସହାୟକ ହେବ  । 
ଏହି ପ୍ରସ୍ତାବିତ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଓଡ଼ିଶା ପାଇଁ ଏକ ପରିବର୍ତ୍ତନକାରୀ ହେବ  । କୃଷି ଗବେଷଣାକୁ ଆଗକୁ ବଢାଇବା ସହ ଚାଷୀମାନଙ୍କୁ ସଶକ୍ତ କରିବାରେ ତାହା ସହାୟକ ହୋଇପାରିବ  । ସେହିପରି ସ୍ଥାୟୀ କୃଷି ପଦ୍ଧତିରେ ନବସୃଜନକୁ ପ୍ରୋସôାହିତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି  ।
କୃଷି ଓ ଆନୁଷଙ୍ଗିକ ବୃତ୍ତିକୁ ଲାଭଜନକ ଉଦ୍ୟୋଗରେ ପରିଣତ କରି ଲୋକଙ୍କ ପାଇଁ ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଲାଭଦାୟକ ସାବ୍ୟସ୍ତ ହେବ  । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ମସô୍ୟ ଓ ପ୍ରାଣିସମ୍ପଦ ବିକାଶ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଡ଼ ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ମତାମତ ଉପସ୍ଥାପନ କରିଥିଲେ  ।