ସେପ୍ଟେମ୍ବରରୁ ଓଡ଼ିଶାରେ ହେବ ଏସଆଇଆର
ଭୁବନେଶ୍ୱର : ସମ୍ପ୍ରତି ବିହାରରେ ଏସଆଇଆରକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଯାଇଥିବାବେଳେ ଆସନ୍ତା ମାସରୁ ଓଡ଼ିଶାରେ ଏସଆଇଆର ଆରମ୍ଭ ହେବ । ୨୪ ବର୍ଷ ପରେ ଓଡ଼ିଶାରେ ଏସଆଇଆର ଅର୍ଥାତ୍ ସ୍ପେଶିଆଲ୍ ଇଣ୍ଟେନସିଭ୍ ରିଭିଜନ୍ କରାଯିବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ ଗୋପାଳନ୍ ସୂଚନା ଦେଇଛନ୍ତି ।
ସେପ୍ଟେମ୍ବରରୁ ଘର ଘର ବୁଲି ସର୍ଭେ କରାଯିବ । ବିଭିନ୍ନ ତଥ୍ୟାବଳୀ ଆଧାରରେ ପ୍ରକୃତ ଭୋଟରଙ୍କ ତାଲିକା ପ୍ରସ୍ତୁତ ହେବ । ବିହାରରେ ପ୍ରାୟ ୬୫ ଲକ୍ଷ ଲୋକ ଭୋଟର ତାଲିକାରୁ ବାଦ୍ ପଡ଼ିଥିବାବେଳେ ଓଡ଼ିଶାରେ ବି ଲକ୍ଷ ଲକ୍ଷ ଲୋକ ଭୋଟର ତାଲିକାରୁ ବାଦ୍ ପଡ଼ିବେ ବୋଲି ଆଶା କରାଯାଉଛି । ପ୍ରଥମେ ଚିଠା ତାଲିକା ପ୍ରସ୍ତୁତ କରାଯାଇ ବିଭିନ୍ନ ରାଜନୀତିକ ଦଳ ଓ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଆହ୍ୱାନ କରାଯିବ । ଜାନୁଆରୀ ୭ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।
ସେହିପରି ୨୦୨୪ ନିର୍ବାଚନରେ ଜାଲିଆତି ନେଇ କଂଗ୍ରେସ ଓ ବିଜେଡ଼ି ପୂର୍ବରୁ ଅଭିଯୋଗ କରିଥିଲେ । ଏନେଇ ଜବାବ ଦିଆଯାଇଛି ବୋଲି ସିଇଓ କହିଛନ୍ତି । ବିଜେଡ଼ି ଅଭିଯୋଗର ଦୁଇ ଦୁଇ ଥର ଜବାବ ଦିଆଯାଇଛି । ଏପରିକି ସତ୍ୟପାଠ ମଗାଯାଇଥିଲେବି ବିଜେଡ଼ି ଦେଉନାହିଁ । ସେହିପରି ଭିତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତା ଓ ଲୋକଙ୍କ ଆସ୍ଥା ଭାଙ୍ଗନ୍ତୁ ନାହିଁ ବୋଲି ସିଇଓ ଅପିଲ୍ କରିଛନ୍ତି । ସେହିପରି ବୁଥରେ ସ୍ଥାୟୀ ପଲଟିକାଲ ଏଜେଣ୍ଟ ନିଯୁକ୍ତି କରିବାକୁ ସେ ରାଜନୀତିକ ଦଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ସେହିପରି ରାଜ୍ୟରେ ପୋଲିଂ ବୁଥ ସଂଖ୍ୟା ୩୮ ହଜାରରୁ ୪୫ ହଜାରକୁ ବୃଦ୍ଧି ପାଇବ ବୋଲି ସିଇଓ ସୂଚନା ଦେଉଛନ୍ତି ।