ସମ୍ବଲପୁରୀ ଦିନ ପାଳନ ପାଇଁ ପ୍ରସ୍ତୁତି
ସମ୍ବଲପୁର : ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରକ ତଥା ଗବେଷକ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିନ ଅବସରରେ ଅଗଷ୍ଟ ଏକ ତାରିଖରେ ସମ୍ବଲପୁରରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ଏକ ପ୍ରସ୍ତୁତି ବୈଠକ ପଶ୍ଚିମାଞ୍ଚଲ ଏକତା ମଞ୍ଚ ଆବାହକ ଭବାନୀ ଶଙ୍କର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଡେରାରେ ଅନୁଷ୍ଠିତ ଏହି ବୈଠକରେ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଗୁରୁ ସତ୍ୟନାରାୟଣଙ୍କ ଅତୁଳନୀୟ ଅବଦାନ ବିଷୟରେ ଆଳୋଚନା କରାଯାଇଥିଲା । ଗୁରୁ ବହିଦାରଙ୍କ ସ୍ମୃତିରେ ସମ୍ବଲପୁର ଜେଲ ଛକ ନିକଟରେ ସ୍ଥାପିତ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାକୁ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଦର୍ଶନ ଏବଂ ଗୁରୁଙ୍କ ସ୍ମୃତି ରକ୍ଷା ପାଇଁ ବିକାଶ କରାଯିବାକୁ ବୈଠକରେ ଦାବି କରାଯାଇଥିଲା । ଏ ନେଇ ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀ ଏବଂ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ବୈଠକରେ ସ୍ଥିର କରାଯାଇଥିଲା । ଏହାସହ ଡେରା ପରିସରରେ ସମ୍ବଲପୁରୀ ହସ୍ତଶିଳ୍ପ ଏବଂ ହସ୍ତତନ୍ତ୍ର ବିକ୍ରୟ ସହ ସମ୍ବଲପୁରୀ ପୁସ୍ତକାଳୟ ଏବଂ ସମ୍ବଲପୁରୀ ସଂସ୍କୃତିର ସଂଗ୍ରହାଳୟ ପାଇଁ ବହୁତଳ ପ୍ରସାଦ ନିର୍ମାଣ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଥିଲା । ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ସମ୍ବଲପୁରୀ ଭାଷା ଓ ସଂସ୍କୃତି ନେଇ କାର୍ଯ୍ୟରତ ସଂଗଠନ ମଧ୍ୟରେ ସମନ୍ୱୟ ଉପରେ ଜୋର ଦେଇଥିଲେ । ପ୍ରସ୍ତୁତି ବୈଠକରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଆୟୋଜନ ହେଉଥିବା ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା ।