ସମ୍ବେଦନଶୀଳ ଥାନାରେ ନାହାନ୍ତି ଆବଶ୍ୟକ ଅଧିକାରୀ କି ମହିଳା କନଷ୍ଟେବଳ

ବିଞ୍ଝାରପୁର : ବିଞ୍ଝାରପୁର ଯାଜପୁର ଜିଲାର ଏକ ସମ୍ବେଦନଶୀଳ ଥାନା ଭାବେ ଗଣାଯାଏ । ଯେଉଁ ଥାନାରେ ସର୍ବାଧିକ ମାମଲା ପଞ୍ଜୀକରଣ ହୋଇଥାଏ । ଚୋରି, ରାହାଜାନୀ, ହତ୍ୟା, ବଧୂହତ୍ୟା, ଧର୍ଷଣ, ନାବାଳିକା ଅସଦାଚରଣ ଭଳି ମାମଲା ସହ ରାଜନୈତିକ ହିଂସା କିଛି କମ ହୁଏନି ଥାନା ଇଲାକାରେ । ଥାନା ଅଞ୍ଚଳରେ ଶତକଡା ୩୦ ପ୍ରତିଶତ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ବାସ କରୁଥିବା ବେଳେ ପଡୋଶୀ ବରୀ ବ୍ଲକର ୬ ଗୋଟି ଓ ବିଞ୍ଝାରପୁର ବ୍ଳକ୍ର ୨୯ଗୋଟି ପଞ୍ଚାୟତକୁ ନେଇ ଏହି ଥାନା ଥିବା ବେଳେ ୨୦୨୨ରେ ଏହା ନୂତନ ଥାନା ଭାବେ ଅଳକୁଣ୍ଡ ଥାନା ହେଲା ପରେ ବିଞ୍ଝାରପୁରରୁ ୧୧ଗୋଟି ପଞ୍ଚାୟତ ଅଳକୁଣ୍ଡ ଅଧିନକୁ ଚାଲଯାଇଛି । ଏହା ପରେବି ଅପରାଧ ଏଠି ଥମିବାର ନାଁ ଧରୁନି । ଏହା ଛଡା ଧଳା ଜହର ଓ ନିଶା ବିଞ୍ଝାରପୁର ଥାନା ଅଞ୍ଚଳକୁ ଗ୍ରାସ କରିସାରିଛି । ପ୍ରତିଦିନ ପାଖାପାଖି ୧୦ରୁ ୧୨ମାମଲା ଥାନାକୁ ଆସୁଛି । ହେଲେ ଥାନାରେ ପୂର୍ବ ଅପେକ୍ଷା ଆବଶ୍ୟକ ଠାରୁ କମ୍ ଅଧିକାରୀ ରହୁଥିବା ବେଳେ ପୁଲିସର କାର୍ଯ୍ୟ ରେ ଅନେକ ଢିଲା ପଣ ଦେଖାଦେଉଛି । ଏଭଳି ଥାନାକୁ ଅତିକମ୍ରେ ୪ ଜଣ ସବ୍ଇନ୍ସପେକ୍ଟର, ୬ଜଣ ଏଏସ୍ଆଇ ଆବଶ୍ୟକ ଥିବା ବେଳେ ମାତ୍ର ଦୁଇଜଣ ସବ୍ଇନ୍ସପେକ୍ଟର ରହିଛନ୍ତି । ଏସ୍ଆଇ ଏମ୍.ଡି.ସୁରଜ୍ଙ୍କୁ ଯାଜପୁର ଥାନାରୁ ବିଞ୍ଝାରପୁରକୁ ତିନିମାସ ଭିତରେ ବଦଳି କରଯାଇଥିବା ବେଳେ ତାଙ୍କୁ ପୁଣି ବିଞ୍ଝାରପୁରରୁ ସଦର ଥାନାକୁ ବଦଳି କରାଯାଇ ତାଙ୍କ ଯାଗାରେ ଏସ୍ଆଇ ହାଫିଜ୍ ମହମ୍ମଦଙ୍କୁ ନିଯୁକ୍ତି ଦିଯାଇଥିଲା ବେଳେ ସେ ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ଅପର ପକ୍ଷରେ ଥାନାରେ୬ଜଣ ଏଏସଆଇ ଥିବା ବେଳେ ଜଣଙ୍କୁ ଜରି ଫାଣ୍ଡି ଦାୟିତ୍ୱ ଦିଆ ଯାଇଥିବା ବେଳେ ବାକି ୫ ଜଣଙ୍କ ମଧ୍ୟରେ ଜଣେ ମାତ୍ର ମହିଳା ରହିଛନ୍ତି । ବାକି ଜଣେ ମହିଳା ସବଇନ୍ସପେକ୍ଟର ରହିଛନ୍ତି । ଥାନା ଅଧିକାରୀ ବାମଦେବ ନନ୍ଦଙ୍କ ପଦୋନ୍ନତି ପରେ କୌଣସି ସ୍ଥାନରେ ପୋଷ୍ଟିଂ ହୋଇ ପାରିନଥିବା ବେଳେ ସେ ଥାନା ଅଧିକାରୀ ଦାୟିତ୍ୱ ତୁଲାଉଥିଲା ବେଳେ ଆଇଆଇସି ରଞ୍ଜନ କୁମାର ମଲ୍ଲିକ ମଧ୍ୟ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଇ କାର୍ଯ୍ୟ ତୁଲାଉଛନ୍ତି । ସବୁ ଠାରୁ ବଡ଼ କଥା ହେଉଛି ରତିଅଧିଆ ଚଢାଉ ହେଉ ବା କୌଣସି ମହିଳାଙ୍କ ମାମଲା ହେଉ ଏସବୁ କାର୍ଯ୍ୟ ଦେଖା ଶୁଣା କରିବା ସହ ନେବା ଆଣିବା ପାଇଁ ମହିଳା କନେଷ୍ଟବଳ ନଥିବା ହେତୁ ଏସବୁ କାର୍ଯ୍ୟ ମହିଳା ଏସ୍ଆଇ ଓ ଏଏସ୍ ଆଇ କରୁଥିବା ଦେଖିବାକୁ ମିଳୁଛି । ଯାହା କି ମାମଲା ଗୁଡିକ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହେବାର ବିଳମ୍ବ ହେଉଥିବା ପରିଲକ୍ଷିତ ହେଉଛି । ଏପଟେ ଥାନା ଅଧିନରେ ଥିବା ବୋଦୁଅ ପଞ୍ଚାୟତ କନ୍ତିଆରେ ଆଜକୁ ପାଖାପାଖି ୪ମାସ ହେବ ଲାଗିରହିଥିବା ଗଣ୍ଡଗୋଳ ଜାଗାରେ ବି ଏହି ମାନଙ୍କ ମଧ୍ୟରୁ ଅନେକ ଅଧିକାରୀଙ୍କୁ କାର୍ଯ୍ୟ ତୁଲାଇବାକୁ ପଡ଼ୁଛି । ତେବେ ବିଞ୍ଝାରପୁର ଭଳି ଗୋଟିଏ ସମ୍ବେଦନଶୀଳ ଥାନାକୁ ଆବଶ୍ୟକ ପୁଲିସ ଅଧକାରୀ ଓ ମହିଳା କନେଷ୍ଟବଳ ଯୋଗାଇ ଦେଲେ ଏସବୁ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି କୁହାଯାଉଛି । ଏଥିପ୍ରତି ଜିଲା ଆରକ୍ଷୀ ଅଧିକାରୀଙ୍କ ଦୃଷ୍ଟି ଦେବାର ଆବଶ୍ୟକ ରହିଛି ।