କଲବଲ ସାଧାରଣ ଜନତା; ନିଦାବିଷ୍ଣୁ ରାଜନେତା ଓ ପ୍ରଶାସନ 


ାା ପ୍ରଭାନୁ୍ୟଜ ।ା ଯଖପୁରା : ଶିଳ୍ପରାଜଧାନୀ କଳିଙ୍ଗନଗର କମନ କରିଡ଼ର ରାସ୍ତା ସାଂଘାତିକ ହୋଇପଡ଼ିଛି । ଭାରୀଯାନ କଥା ଛାଡ଼, ବାଇକ, ସାଇକଲ ଆରୋହୀ କିମ୍ବା ପଦଯାତ୍ରୀବି ସୁରକ୍ଷିତ ଯାତ୍ରା କରିବାକୁ ଭୟ କରୁଛନ୍ତି । ରାସ୍ତାକୁ କେହିବି ଦେଖିଲେ ବିଶ୍ୱାସ କରିବନି, ଏହା ଶିଳ୍ପରାଜଧାନୀ କଳିଙ୍ଗନଗର ବୋଲି । କୋଟି କୋଟି ଟଙ୍କାର ରାଜସ୍ୱ ଦେଉଥିବା କଳିଙ୍ଗନଗରର ବାସ୍ତବ ଚିତ୍ର ଦେଶ ବିଦେଶ, ବିଭିନ୍ନ ପ୍ରଦେଶରୁ ଆସୁଥିବା ଶିଳ୍ପୋଦ୍ୟୋଗୀ, ପୁଞ୍ଜି ନିବେଶକାରୀ ଦେଖୁଛନ୍ତି । ହେଲେ ରାଜନେତା କି ପ୍ରଶାସନର ନିଦାବିଷ୍ଣୁ ସାଜିଛି । 
ଗମନା ଗମନ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା କହୁଥିଲେ ହେଁ କଳିଙ୍ଗନଗର କମନ କରିଡ଼ର ରାସ୍ତା ସାଧାରଣ ଜନତାଙ୍କ ପାଇଁ କଲବଲ ପଥ ହୋଇପଡ଼ିଛି । କଳିଙ୍ଗନଗର ଶିଳ୍ପାଞ୍ଚଳ ରାସ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି । ବିଭିନ୍ନ ଶିଳ୍ପ କାରଖାନାକୁ ଆସୁଥିବା ଭାରି ଯାନ ପାଇଁ ରାସ୍ତା ସବୁ ନଷ୍ଟ ହେଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ରାସ୍ତା ସବୁ ଖରାପ ହେବାର କାରଣ ପାଇଁ କଳକାରଖାନା ସବୁ ଦାୟୀ ବୋଲି ଅଭିଯୋଗ ହୁଏ । ସାଧାରଣ ଲୋକଙ୍କ ଗମନାଗମନ ସୁବିଧା ପାଇଁ ନିର୍ମିତ ହୋଇଥିବା ରାସ୍ତା ଉପରେ ପ୍ରତିଦିନ କଳକାରଖାନାକୁ ଶହ ଶହ ଟନ୍ ଧରି ଆସୁଥିବା ଭାରିଯାନ ପାଇଁ ରାସ୍ତା ସବୁ ଭାଙ୍ଗି ରୁଜି ଛିନ୍ଛତର ହେଉଛି । ଫଳରେ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଯେ କମନ୍ କରିଡ଼ର ରାସ୍ତାରେ ଖାଲ ପାଇଁ ଲୋକ ହଇରାଣ ହେଉଛନ୍ତି ତାହା ନୁହେଁ ଖାଲ ପାଇଁ ଯେତିକି ଅସୁବିଧା ଭୋଗୁଛନ୍ତି ରାସ୍ତାରେ ଗଲାବେଳେ ପ୍ରବଳ ଧୂଳି ଉଡୁଛି ଫଳରେ ଗାଡ଼ି ଚଳାଇବା କଷ୍ଟ ହୋଇପଡୁଛି । ପୁଣି ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ବଡ଼ ଗାଡ଼ି ସବୁ ପାର୍କିଂ କରାଯାଉଛି । ଏହାକୁ ନେଇ ପଥଚାରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କମନ୍ କରିଡ଼ର ରାସ୍ତା ସବୁ ଦେଖିବା ତେବେ ଆମକୁ ଯାଜପୁର ରୋଡରୁ ଡ଼ୁବୁରୀ ଛକ ପର୍ଯ୍ୟନ୍ତ ରାସ୍ତା,ମିଲିଟାରୀ ଛକ ଠାରୁ ପଙ୍କପାଳ ବଙ୍ଗଳା ଛକ ପର୍ଯ୍ୟନ୍ତ ରାସ୍ତା ପୁଣି ଦଶମାଣିଆ ଚାରି ଛକ ଠାରୁ ବି.ଆର.ପି.ଏଲ ବିର୍ସା ମୁଣ୍ଡା ଛକ ନଜରକୁ ଆସେ । ଏହି ସବୁ ରାସ୍ତାରେ ଉପରେ ସାଧାରଣତଃ ସ୍ଥାନୀୟ ବାସିନ୍ଦା ନିର୍ଭର କରନ୍ତି । ପ୍ରତିଦିନ ଲୋକ ନିଜର ଜରୁରୀ ଆବଶ୍ୟକ ପାଇଁ ଏହି ରାସ୍ତା ଉପରେ ଯିବା ଆସିବା କରନ୍ତି । ପ୍ରତିଦିନ ପ୍ରାୟ ଏହି ରାସ୍ତା ଉପରେ କୋଡ଼ିଏ ହଜାରରୁ ଉର୍ଦ୍ଧ ଲୋକ ଏହି ରାସ୍ତା ଉପର ଦେଇ ଗମନା ଗମନ କରନ୍ତି । ସାଧାରଣ ଲୋକ ଠାରୁ ଆରମ୍ଭ କରି ସ୍ଥାନୀୟ ବିଭିନ୍ନ କଳକାରଖାନାକୁ ଗାଡ଼ି ସବୁ ଯିବା ଆସିବା କରିଥାନ୍ତି । ମିଲିଟାରୀ ଛକରୁ ପଙ୍କପାଳ ବଙ୍ଗଳା ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ସ୍ଥାନୀୟ ଲୋକ ସର୍ବାଧିକ ନିର୍ଭର କରନ୍ତି । ଏହି ରାସ୍ତାଟି ମୁଖ୍ୟ ରାସ୍ତା । ଏହି ରାସ୍ତାଟି ଦୁଇ ଦୁଇଟି ଜାତୀୟ ରାଜପଥକୁ ସଂଯୋଗ କରୁଛି । ନିକଟରେ ଥିବା ରାବଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଯଖପୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ରାସ୍ତା ଦେଇ ସାଧାରଣ ଲୋକ ଯାଇଥାନ୍ତି । ତା ସହିତ ଯାଜପୁର ରୋଡ ଓ ଦାନଗଦୀ ପରି ବ୍ୟବସାୟ ପେଣ୍ଠ ସ୍ଥଳୀକୁ ମଧ୍ୟ ଯିବାକୁ ହେଲେ ଏହି ରାସ୍ତାରେ ଯିବାକୁ ହେବା । ଦାନଗଦୀ ବୁଦ୍ଧାରାଜ ବିଦ୍ୟାପୀଠ, ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ, ମାନତିରା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ରାସ୍ତା ଦେଇ ଯାଇଥାନ୍ତି । ଅନେକ ଛୋଟ ଛୋଟ ଗାଁ ଗହଳିର ଛକ ବଜାରକୁ ଯିବାକୁ ହେଲେ ଏହି ରାସ୍ତା ଉପରେ ଯିବାକୁ ପଡୁଛି । ରାସ୍ତା ଏତେ ସଙ୍କଟାପନ୍ନ ହୋଇପଡ଼ିଛି ଯେ ଲୋକମାନଙ୍କୁ ଅନେକ ହଇରାଣ ହେବାକୁ ପଡୁଛି । ଛୋଟଛୋଟ କାର ଅବସ୍ଥା ନ କହିଲେ ଭଲ । 
ଗାଡ଼ି ମଟର ଯିବା ଆସିବା ଅସମ୍ଭବ ହୋଇପଡୁଛି । ମୋଟର ସାଇକେଲ ଆରୋହୀଙ୍କ ଅବସ୍ଥା ସାଙ୍ଘାତିକ । ରାସ୍ତାର ଅବସ୍ଥା ଏପରି ସାଙ୍ଘାତିକ ହୋଇଛି ଯେ ଆଉ କିଛି ଦିନ ପରେ ରାସ୍ତାରୁ ରାସ୍ତା ବିଛିନ୍ନ ହୋଇଯିବ । ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ସ୍କୁଲ ଗାଡ଼ି ସବୁ ଯିବା ଆସିବାରେ ଅସୁବିଧା ହୋଇପଡିଛି । କିଛି କିଛି ଗାଡ଼ି ତ ରାସ୍ତାର ବଡ଼ବଡ଼ ଖାଲରେ ଲାଖି ଓଲଟି ପଡୁଥିବାର ଦେଖିବାକୁ ମିଳୁଛି । ରାସ୍ତା ଉପରେ ଖାଲରେ ପାଣି ରହି ଲହଡ଼ି ମାରୁଛି । ରାସ୍ତା ଉପରେ ସଠିକ୍ ଭାବରେ ଜଳ ନିଷ୍କାସନ ହୋଇପାରୁ ନାହିଁ । ମାସ ମାସ ଧରି ରାସ୍ତା ଉପରେ ପାଣି ଜମି ରହୁଛି । ଫଳରେ ପାଣି ପାଇଁ ରାସ୍ତା ନଷ୍ଟ ହେଉଛି । ସେହିପରି ଅନ୍ୟ ଏକ କମନ୍ କରିଡ଼ର ରାସ୍ତା ଅବସ୍ଥା ନକହିବା ଭଲ । ଦଶମାଣିଆ ଚାରି ଛକରୁ ବିଆରପିଏଲ ବିର୍ସା ମୁଣ୍ଡା ଛକର ରାସ୍ତା । ଏହି କମନ୍ କରିଡ଼ର ରାସ୍ତାରେ ସର୍ବାଧିକ ଭାରି ଯାନ ଯିବା ଆସିବା କରୁଛି । ଅନେକ ଲୋକ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବିଭିନ୍ନ କଳକାରଖାନାକୁ ଏହି ରାସ୍ତା ଦେଇ ଯାଉଛି । ସାଧାରଣତଃ ଟାଟା, ଜିନ୍ଦଲ, ନୀଳାଚଳ ପରି ବଡ଼ ବଡ଼ କାରଖାନାକୁ ଏହି ରାସ୍ତା ସଂଯୋଗ କରୁଥିବାରୁ ଏହା ଅତ୍ୟନ୍ତ ଚଳ ଚଞ୍ଚଳରାସ୍ତା । 
ଏହାର ଅବସ୍ଥା ସାଙ୍ଘାତିକ ହୋଇପଡିଛି । କିଛି କିଛି ସ୍ଥାନର ରାସ୍ତା ଉପରେ ହୋଇଥିବା ଖାଲ ସବୁ ସାଙ୍ଘାତିକ । ଖାଲି ପାଦରେ ବି ଯିବା ଆସିବା କଷ୍ଟ । ରାସ୍ତାର ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡକୁ ଖାଲ ସବୁ ସ୍ପର୍ଶ କରୁଛି । ଦେଖିଲେ ଲାଗୁଛି ରାସ୍ତା ଛିଡି ଯାଇଛି । ସେଥିପାଇଁ ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟି ଜୀବନ ଯାଉଛି । ମରାମତି ହେଉ ଅଥବା ନୂତନ ଭାବରେ ରାସ୍ତା ନିର୍ମାଣ ଆବଶ୍ୟକ ହୋଇପଡିଛି । ହେଲେ ତାହା ଉନ୍ନତ ଟେକ୍ନୋଲୋଜିରେ ହେବାର ଆବଶ୍ୟକତା ରହିଛି । ଅଞ୍ଚଳବାସୀ ମତ ଦେଇଛନ୍ତି ।