ସରକାରୀ କର୍ମଚାରୀ ମାନ୍ୟତା ଦାବି
ଢେଙ୍କାନାଳ : ସ୍ଥାନୀୟ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡିଶା ଏମ୍ଡିଏମ୍ ପାଚିକା ସହାୟିକା ସଂଘର ବୈଠକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂପାଦିକା ଭାରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଗତ ୩୧ତାରିଖରେ ରାଜ୍ୟ କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାର ପାଚିକାମାନଙ୍କ ପାଇଁ ଯେଉଁ ୧ ହଜାର ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି, ତାକୁ ବର୍ତ୍ତମାନ ବଜାରରେ ଯେପରି ଭାବରେ ନିତ୍ୟ ବ୍ୟବହାର ଜିନିଷପତ୍ର ବୃଦ୍ଧି ଘଟିବାରେ ଲାଗିଛି ଏହାକୁ ଦୃଷ୍ଟି ଦେଇ ପୁନଃବିଚାର କରି ମଜୁରୀ ବୃଦ୍ଧି କରିବା ପାଇଁ ଅନୁରୋଧ କରାଯାଇଥିଲା । ମାସିକ ପାରିଶ୍ରମିକ ଯେପରି ଭାବରେ ପ୍ରତିମାସର ପ୍ରଥମ ସପ୍ତାହରେ ପ୍ରଦାନ କରାଯାଏ ସେଥିପ୍ରତି ଶିକ୍ଷା ବିଭାଗ ଯତ୍ନବାନ୍ ହେବା ପାଇଁ ସେମାନେ ଦାବି କରିଥିଲେ । ବର୍ଷକୁ ୧୦ ମାସ ବଦଳରେ ୧୨ ମାସର ପାରିଶ୍ରମିକ, ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ସୁବିଧା ପାଚିକାମାନଙ୍କୁ ଦେବା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ବିଇଓ ଦ୍ୱାରା ପାଚିକାମାନଙ୍କୁ ନିଯୁକ୍ତି ଦେବା, ପାଚିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା ଅବସର ସମୟରେ ସ୍ୱତନ୍ତ୍ର ଆର୍ଥôକ ସହାୟତା ଦେବା ସହିତ ପେନ୍ସନ୍ ପ୍ରଦାନ ପ୍ରଭୃତି ବିଭିନ୍ନ ଦାବି ଉପରେ ରାଜ୍ୟ ସରକାର ସ୍ପଷ୍ଟକରଣ ନ ଦେଲେ ଆସନ୍ତା ୧୭ ତାରିଖରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ସମାବେଶ କରିବାକୁ ଆଲୋଚନା କରାଯାଇଥିଲା । ରାଜ୍ୟ ସଂଗଠନ କରାଯାଇଥିବା ରାଜ୍ୟ ପାଚିକା ସଂଘଗୁଡିକ ଏହି ଆନେ୍ଦାଳନରେ ସାମିଲ୍ ହୋଇ ମୌଳିକ ଦାବିଗୁଡିକ ହାସଲ କରିବାକୁ ରାଜ୍ୟ ଉପଦେଷ୍ଟା ରବି ରଥ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟମାନଙ୍କରେ ଯେଉଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟ ଚାଲୁଛି ଏହା କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ଅଟେ । କେନ୍ଦ୍ର ସରକାର ବର୍ଷକୁ ୧୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି, ଆଉ ୨ହଜାର ଟଙ୍କା ନ ଦେବା କ୍ଷୋଭର ବିଷୟ । କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନ୍ ଭୋଗୀମାନଙ୍କ ପାଇଁ ଅର୍ଥ ବୃଦ୍ଧି କରି ଚାଲୁଥିବାବେଳେ ଏହି ଅସହାୟ ପାଚିକାମାନଙ୍କ ପ୍ରତି ଅଣଦେଖା କରୁଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ତେଣୁ ରାଜ୍ୟ ସରକାର ଏହା ଉପରେ ଗୁରୁତର ସହିତ ବିଚାର କରି ପଦକ୍ଷେପ ନେବାକୁ ଦାବି କାରାଯାଇଥିଲା । ଉକ୍ତ ବୈଠକରେ ସୁଭାସିନୀ ବେହେରା, ଶାନ୍ତିପ୍ରିୟା ସାହୁ, ଉତରା ପାତ୍ର, ଅଞ୍ଜଳି ବାରିକ, ଗୀତାଞ୍ଜଳି ବେହେରା, ରେବତୀ ଦାସ ଓ କାଂଚନ ବେହେରାଙ୍କ ସମେତ ଶତାଧିକ ପାଚିକା କର୍ମୀମାନେ ଯୋଗ ଦେଇଥିଲେ ।