୩ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀମାୟ ସଂଗଠନ ଧୀରେ ଧୀରେ ଦୁର୍ବଳ ହେଉଥିବା ବେଳେ ମାଓ ସଂଗଠନ ଛାଡି ସାଧାରଣ ଜୀବନ ଯାପନ ପାଇଁ ଅନେକ ମାଓବାଦୀ ବର୍ତ୍ତମାନ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି । ଏହିକ୍ରମରେ ଛତିଶଗଡର ନାରାୟଣପୁର ଜିଲ୍ଲାରେ ରୈନୁ ଉସେଣ୍ଡି, ମୈନୁ ଭଡ୍ଡା, ସାନୁ ଉସେଣ୍ଡି, ନାମକ ୩ଜଣ ମାଓବାଦୀ ସଂଗଠନ ଛାଡି ଆତ୍ମସମର୍ପଣ କରିଛନ୍ତି । ନାରାୟଣପୁର ଜିଲ୍ଲାରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନ ଏବଂ ବିକାଶମୂଳକ କାର୍ଯ୍ୟ ସହ ମାଓ ସଂଗଠନ ପ୍ରତି ମୋହଭଙ୍ଗ, ନିରାଶା ଏବଂ ଆଭ୍ୟନ୍ତରୀଣ ମତଭେଦ ଯୋଗୁଁ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି । ଆତ୍ମସମର୍ପଣ ପରେ ସମସ୍ତ ମାଓବାଦୀଙ୍କୁ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ବେଳେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।