ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ନବରଙ୍ଗପୁର: ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ନବରଙ୍ଗପୁର ସରସ୍ୱତୀ ଶିଶୁ ଜ୍ଞାନ ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ନବରଙ୍ଗପୁର ପୌପରିଷଦର ଅଧ୍ୟକ୍ଷ କୁନୁ ନାୟକ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ଏବଂ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ ତଥା ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ଅବସରରେ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ନାୟକ ବିଦ୍ୟାଳୟ ପାଇଁ ଖଣ୍ଡିଏ ସରକାରୀ ଜାଗା ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି । ବିଶିଷ୍ଟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ସମ୍ପର୍କରେ ଅବଗତ କରାଇଥିଲେ । ସେହିପରି ଛାତ୍ରଛାତ୍ରୀମାନେ ପାଠପଢା ସହ ଖେଳ ପ୍ରତି ମଧ୍ୟ ଆଗ୍ରହ ପ୍ରକାଶ କଲେ ଉଭୟ ସ୍ୱାସ୍ଥ୍ୟ ଏବଂ ମାନସିକ ଭାବରେ ସୁସ୍ଥ ରହିବେ ବୋଲି କ୍ରୀଡା ସଂଘର ସହ ସମ୍ପାଦକ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ସଭାପତି ଭାବରେ ଶିଶୁ ଜ୍ଞାନ ମନ୍ଦିରର ଅଧ୍ୟକ୍ଷ ରବି ଶଙ୍କର ସାହୁ ଗୁରୁଜୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭା ଶେଷରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ସେହିପରି ଅଭିଭାବକ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଅଭିଭାବକମାନଙ୍କୁ ମଧ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କାର କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସଫଳ କରିବା ନିମନ୍ତେ ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ଅଭିଭାବକ ଏବଂ ଗୁରୁମା ଗୁରୁଜୀ ବୃନ୍ଦ ସହୋଯୋଗ କରିଥିଲେ ।