ଶୀଘ୍ର ଘୋଷଣା କରାଯାଉ ପିସିସି ସଭାପତିଙ୍କ ନାମ : ସୋଫିଆ
କଟକ: ରାଜ୍ୟର ୨ ଜାତୀୟ ଦଳ ବିଜେପି ଓ କଂଗ୍ରେସର ସଭାପତି କିଏ ହେବ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ରାଜ୍ୟର ପରବର୍ତ୍ତୀ ବିଜେପି ସଭାପତି କିଏ ହେବ, ନିର୍ବାଚନ ପର ଠାରୁ ଗତ ୭ମାସ ହେଲା ଏହି ଚର୍ଚ୍ଚା ଲାଗି ରହିଛି । ଆଉ ଅନ୍ୟପଟେ ପ୍ରାୟ ୮ ମାସ ହେବ ପିସିସି ସଭାପତି ଚୌକି ଫାଙ୍କା ପଡ଼ିଛି । ମାସ ପରେ ମାସ ଗଡ଼ି ଚାଲିଥିଲାବେଳେ ରାଜ୍ୟରେ କଂଗ୍ରେସ ମୁଖିଆ ପଦରେ କାହାକୁ ନିଯୁକ୍ତି ଦିଆଯାଇ ପାରିନାହିଁ । ପିସିସି ସଭାପତି ନାମ ଘୋଷଣାରେ ବହୁତ ବିଳମ୍ବ ହୋଇଗଲାଣି । ଏହିଭଳି ପ୍ରତିକି୍ରୟା ରଖିଛନ୍ତି ବାରବାଟୀ କଟକ ବିଧାୟକ ସୋଫିଆ ଫିଦେ୍ର୍ଦାଷ । ସେ କହିଛନ୍ତି, ଯାହାକୁ ବି ସଭାପତି କରିବାର ଅଛି, ଶୀଘ୍ର ନାମ ଘୋଷଣା କରାଯାଉ । ସଭାପତି ନାମ ଘୋଷଣାକୁ ନେଇ କର୍ମୀଠାରୁ ନେତା ଅପେକ୍ଷା କରି ରହିଛନ୍ତି । ଯିଏ ବି ପିସିସି ସଭାପତି ହେବ, ତାଙ୍କୁ ମୋର ସମର୍ଥନ ରହିବ ବୋଲି ସୋଫିଆ କହିଛନ୍ତି । ନୂଆ ସଭାପତିଙ୍କ ନାମ ଘୋଷଣା କରାଗଲେ ଦଳ ମଜବୁତ ହେବା ସହ ସରକାରଙ୍କ ଉପରେ ଚାପ ପକାଇ ହେବ ବୋଲି ମଧ୍ୟ ସୋଫିଆ କହିଛନ୍ତି । ସୂଚନାଯୋଗ୍ୟ, ୮ମାସ ହେବ ପିସିସି ସଭାପତି ଚୌକି ଫାଙ୍କା ପଡ଼ିଛି । ମାସ ପରେ ମାସ ଗଡ଼ି ଚାଲିଥିବାବେଳେ ରାଜ୍ୟରେ କଂଗ୍ରେସ ମୁଖିଆ ପରେ କାହାକୁ ନିଯୁକ୍ତି ଦିଆଯାଇ ପାରିନାହିଁ । ଏଆଇସିସି ପିସିସିର ସମସ୍ତ କମିଟିକୁ ଭଙ୍ଗ କରିଥିବାରୁ ରାଜ୍ୟରେ କଂଗ୍ରେସ ସଂଗଠନ ସଂପ୍ରତି ସୁପ୍ତ ହୋଇ ରହିଛି । କିଛି ଦଳୀୟ ନେତା ନିଜ ନିଜ ପ୍ରଚେଷ୍ଟାରେ ସଂଗଠନ ଚଳାଉଥିବା ଦେଖାଦେଇଛି । ଗତ ଜୁଲାଇ ୨୧ରେ ପିସିସିର ସମସ୍ତ କମିଟିକୁ ଏଆଇସିସି ଭଙ୍ଗ କରିଥିଲା । ୨୦୨୪ ସାଧାରଣ ନିର୍ବାଚନରେ ଆଶାନୁରୂପ ସଫଳତା ମିଳି ନଥିବାର ହାଇକମାଣ୍ଡ ଦଳର ସମସ୍ତ ଛାମୁଆ କମିଟି ଭଙ୍ଗ କରିଥିଲେ । ତେବେ ନୂଆ ନେତା ସନ୍ଧାନରେ ଏଆଇସିସି ଦୀର୍ଘ ୭ ମାସ ହେବ କସରଥ ଜାରି ରଖିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ନିଷ୍କର୍ସ ବାହାରି ପାରୁନାହିଁ ।