ନେତାଜୀ ଜୟନ୍ତୀ ପାଳିତ
ରାଜକନିକା: ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଯୁବ ରେଡ଼କ୍ରସ କୋଡିନେଟର ଡ. ରଞ୍ଜନ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ. ଅଜୟ କୁଣ୍ଡ, ଡ. ପ୍ରଦୀପ ଦାସ, ଡ. ଜୟନ୍ତ ମଲ୍ଲିକ ଓ ଆକାଉଣ୍ଟାଣ୍ଟ ଜୟନ୍ତ ମଥାନ ପ୍ରମୁଖ ଯୋଗ ଦେଇ ମହାବିଦ୍ୟାଳୟ ପରିସରରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେହିପରି ଓଳାଭର ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ହଳଧର ବେହେରାଙ୍କ ତତ୍ତ୍ୱାବଧାନରେ ଜାତୀୟ ସେବା ଯୋଜନା ଓ ଅନନ୍ୟା ଛାତ୍ର ଛାତ୍ରୀଙ୍କ ଦ୍ୱାରା ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ସେହିପରି ରାଜକନିକା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେତାଜୀ କ୍ଲବ୍ ପକ୍ଷରୁ ୧୨୮ ତମ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । କ୍ଲବର ଶତାଧିକ ସଦସ୍ୟ ଏକତ୍ରିତ ହୋଇ କ୍ଳବ୍ ପରିସରରେ ନେତାଜୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପତାକା ଉତ୍ତୋଳନ କରିଥିଲେ । କ୍ଳବ୍ ସଦସ୍ୟ ମାନେ ତରାସ ସ୍ଥିତ କ୍ଳବ୍ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ରାଜକନିକା ସହର ପରିକ୍ରମା କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀ ମାନଙ୍କୁ ଫଳ ଓ ଖାଦ୍ୟ ବଣ୍ଟନ କରିଥିଲେ । ପରେ ତରାସ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କ୍ଳବ୍ ପକ୍ଷରୁ ଭାଷଣ, ସଙ୍ଗୀତ ଓ କୁଇଜ୍ ଆଦି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ବିଦ୍ୟାଳୟ ଶିକ୍ଷକ ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ କ୍ଲବର ସୁବର୍ଣ୍ଣ ଜୟନ୍ତୀ ଅନୁଷ୍ଠିତ ହେଉଥିବାରୁ କ୍ଳବ୍ ପକ୍ଷରୁ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କ୍ଲବ ସଭାପତି ବନଜ ବାରିକ କହିଛନ୍ତି ।