ଜଳ ଯୋଗାଣ ବ୍ୟବସ୍ଥାରେ ଆସୁନି ସୁଧାର

 ନବରଙ୍ଗପୁର : ନବରଙ୍ଗପୁର ସହରରେ ପାନୀୟ ଜଳଯୋଗାଣ ବ୍ୟବସ୍ଥାରେ ସୁଧାର ଆସି ପାରୁନଥିବାରୁ ଲୋକେ ଠିକ୍ ଭାବେ ପାଣି ପାଇପାରୁନାହାନ୍ତି । ସେହି ୪୦ ବର୍ଷ ପୁରୁଣା ଢାଞ୍ଚାରେ ହିଁ ଜଳକୁ ବିଶୋଧନ କରି ଜଳଯୋଗାଣ କରାଯାଉଛି । ସାହି ଓ ଜନସଂଖ୍ୟା ବଢ଼ି ଚାଲିଥିବା ବେଳେ ସେହି ଅନୁପାତରେ ଲୋକଙ୍କୁ ବିଶୁଦ୍ଧ ପାଣି ମିଳୁନି । ସାହି ସାହିରେ ଭଙ୍ଗା ଷ୍ଟାଣ୍ଡପୋଷ୍ଟ ରହିଥିବାବେଳେ ୯କିମି ପୁରୁଣା ପାଇପ୍ ଲାଇନ୍ ପରିବର୍ତ୍ତନ ହୋଇପାରିନି । ସହରରେ ୨୦ହଜାରରୁ ଊର୍ଦ୍ଧ୍ୱ ଘର ରହିଥିବା ବେଳେ ମାତ୍ର ୫୧୭୬ ଘରକୁ ପାଇପ୍ ଲାଇନ୍ ସଂଯୋଗ ହୋଇଛି । ୧୩୩ଟି ଷ୍ଟାଣ୍ଡପୋଷ୍ଟ ଦ୍ୱାରା ବିଭିନ୍ନ ସାହି ଗଳିରେ ପାଣି ଯୋଗାଇ ଦିଆଯାଉଛି । ଇନ୍ଦ୍ରାବତୀ ନଦୀ ନିକଟରେ ଗଭୀର ନଳକୂପରୁ ପାଣି ଉଠାଇ ଏହା ପାର୍ଶ୍ୱରେ ୪୦ବର୍ଷ ହେଲା ବିଶୋଧନ କେନ୍ଦ୍ରରେ ବିଶୋଧନ କରାଯାଉଛି । ପରେ ଲୁହା ପାଇପ୍ ଯୋଗେ ହିଲି ସ୍ଥିତ ୧୦ଲକ୍ଷ ଲିଟର ବିଶିଷ୍ଟ ପାଣି ଟ୍ୟାଙ୍କରେ ଜମା କରାଯାଉଛି । ସମଗ୍ର ସହରକୁ ୮ଟି ଜୋନ୍ରେ ବିଭକ୍ତ କରି ଦିନକୁ ଥରେ ଲେଖାଏଁ ପାଣି ଯୋଗା ଯାଉଥିବା ଜନସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି । ତେବେ ପାୱାରକଟ୍ ହେଲେ ଜଳଯୋଗାଣ ବନ୍ଦ ରହୁଥିବା ଲୋକେ ଅଭିଯୋଗ କରୁଛନ୍ତି । କିଛି ଜଣ ଚୋରା ଲାଇନ୍ ନେଉଥିବାରୁ ଲୋକେ ପାଣି ପାଇଁ ହଇରାଣ ହେଉଛନ୍ତି । ଅପରପକ୍ଷେ କିଛି ସ୍ଥାନରେ ପାଇପ୍ଲାଇନ୍ ମାଟି ଓ ନାଳରେ ପୋତି ହୋଇ ରହିଛି । ଏବଂ ଜଳଯୋଗାଣ ହେଉଥିବା ଲୁହା ପାଇପ୍ କଳଙ୍କି ଖାଇ ସାରିଲାଣି । ଏପରି ସ୍ଥଳରେ ମାଟି ମଧ୍ୟରେ ଥିବା ପାଇପ୍ ଯୋଗେ ଲୋକଙ୍କୁ କିଭଳି ବିଶୁଦ୍ଧ ପାଣି ଯୋଗାଣ ହେଉଥିବ ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି । ତେବେ ଦିନକୁ ୮ଟି ଜୋନରେ ଥରେ ଲେଖାଏଁ ପାଣି ଯୋଗାଯାଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ଏସ୍ଡିଓ । ସହରରେ ୯କିମି ପର୍ଯ୍ୟନ୍ତ ପଡ଼ିଥିବା ପୁରୁଣା ୩ ଇଞ୍ଚର ପାଇପ୍ ବଦଳାଇବା ସହିତ ୨୪ଘଣ୍ଟିଆ ପାଣି ଯୋଗାଇବାର ଯୋଜନା ରହିଥିବା ମଧ୍ୟ କହିଛନ୍ତି । ଖରା ଦିନ ହେଲେ ପାଣି କଷ୍ଟ ଆହୁରି ବଳିଯାଉଛି । ତେଣୁ ଜନସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଧ୍ୟାନ ଦେବାକୁ ଜନ ସାଧାରଣ ଦାବି କରିଛନ୍ତି ।