ଗ୍ରାହକଙ୍କୁ ବ୍ୟବସାୟୀଙ୍କ ଠକେଇ ଅଭିଯୋଗ 

ବ୍ରହ୍ମବରଦା : ଏହି ଥାନାଞ୍ଚଳ ଜନୈକ ଗ୍ରାହକ ଜଣେ ଅସାଧୁ ବ୍ୟାବସାୟିଙ୍କ ଦ୍ୱାରା ଠକାମୀର ଶିକାର ହୋଇଛନ୍ତି ।ଏନେଇ ବ୍ରହ୍ମବରଦା ଥାନାରେ ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ବ୍ୟବସାୟିଙ୍କୁ ଥାନାକୁ ଡାକି ପଚରାଉଚରା କରିଛି । ସୂଚନାନୁଯାୟୀ ଧର୍ମଶାଳା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତର ଜଣେ ଗ୍ରାହକ ବ୍ରହ୍ମବରଦା ବ୍ୟାଙ୍କଛକ ଠାରେ ଥିବା ଝାଲପଡା ଗ୍ରାମର (ପପୁ) ନାମକ ଯୁବକଙ୍କ ରଙ୍ଗ ଦୋକାନକୁ ନିଜ ଘର ପାଇଁ ରଙ୍ଗ କିଣିବାକୁ ଯାଇଥିଲେ । ଗ୍ରାହକ ରଙ୍ଗ କିଣିବା ପରେ ଦୋକାନୀଙ୍କ ପ୍ରାପ୍ୟ ମୁତାବକ ତାଙ୍କୁ ସମସ୍ତ ଟଙ୍କା ପଇଠ କରିଥିଲେ । କିନ୍ତୁ ଗ୍ରାହକ ଜଣଙ୍କ ଘରେ ପହଁଚି ଜାଣିବାକୁ ପାଇଲେ କି ସେ କିଣିଥବା ଏକ ୪ଲିଟର ରଙ୍ଗର କମ୍ପାନୀ ଦାମ୍ ଠାରୁ ଦୋକାନୀ ଚଞ୍ଚକତା ଦେଖାଇ ତାଙ୍କ ଠାରୁ ଅଧିକ ଟଙ୍କା ଠକି ନେଇଛି । ଦୋକାନୀ ଜଣକ ରଙ୍ଗର ପ୍ରକୃତ ଦାମକୁ ଲିଭାଇ ମାର୍କର୍ ପେନ୍ ସାହାଯ୍ୟରେ ତାକୁ ଅଧିକ ଦାମ୍ ଲେଖି ଠକିଛି । ଏବିଷୟରେ ଗ୍ରାହକ ଜଣଙ୍କ ଦୋକାନୀ ପପୁଙ୍କୁ କହିବାରୁ ସେ ଜିଏସ୍ଟି ବିଲ୍ ବଦଳରେ ଏକ ସାଦା କାଗଜରେ ବିଲ୍ କରି ବିଭିନ୍ନ ଆଳ ଦେଖାଇ ତାଙ୍କୁ ବିଦା କରିଦେଇଥିଲେ । ଆଉ ଗ୍ରାହକ ଜଣକ କିଣିଥବା ରଙ୍ଗର କୋଡ଼ ମଧ୍ୟ ଦେଇ ନଥିଲେ । ଯାହାଦ୍ୱାରା ଗ୍ରାହକ  ରଙ୍ଗର କୋଡ଼ ନଂ ଜାଣି ନ ପାରି ଘରର ରଙ୍ଗ କରିପାରି ନଥିଲେ । ଗ୍ରାହକ ଜଣଙ୍କ ବାରମ୍ବାର ଦୋକାନୀଙ୍କ ନିକଟକୁ ଦୌଡି ଦୌଡି କିଛି ସୁଫଳ ନ ପାଇବାରୁ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରୁ ତାଙ୍କୁ ନ୍ୟାୟ ନମିଳିଲେ ସେ ଖାଉଟି ଅଦାଳତର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।