ସହରରେ ବଢୁଛି ବେପରୁଆ ଗାଡ଼ି ଚାଳନା
ତାଳଚେର: ତାଳଚେର ଦିନକୁ ଦିନ ଜନବସତି ବୃଦ୍ଧି ପାଇବା ସହିତ ସେହି ଅନୁପାତରେ ଯାନବାହାନ ସଂଖ୍ୟା ମଧ୍ୟ ଆଶାତୀତ ବୃଦ୍ଧିପାଉଛି । ଯାହାଫଳରେ ଅନେକ ସମୟରେ ବେପରୁଆ ଗାଡ଼ିଚାଳନା ପାଇଁ ଦୁର୍ଘଟଣାମାନ ଘଟୁଛି । ସରକାର ୧୮ବର୍ଷରୁ କମ ବୟସ୍କ ଓ ବିନା ଲାଇସେନ୍ସରେ ଗାଡ଼ିଚାଳନା ବନ୍ଦ କରିଥିବାବେଳେ ସଡ଼କ ସୁରକ୍ଷା ନିୟମକୁ ଲୋକେ ଏବେ ଭୁଲିଗଲେଣି । ସହରରେ କଲେଜ ପିଲାଙ୍କ ଠାରୁ ଆରମ୍ଭ କରି ସ୍କୁଲ ପିଲାଯାଏଁ ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ଦେଖି ପ୍ରଶାସନ ଏଥିପ୍ରତି ନୀରବଦ୍ରଷ୍ଟା ସାଜିଛି । ଏପରିକି ଛାତ୍ରଛାତ୍ରୀ ଗାଡ଼ି ଚଳାଇ ସ୍କୁଲ, କଲେଜ ଯାଉଥିବା ବେଳେ ସ୍କୁଲ କିମ୍ବା କଲେଜ କର୍ତ୍ତୃପକ୍ଷ ମଧ୍ୟ ଅଣଦେଖା କରି ରହୁଛନ୍ତି । ପରିବହନ ଓ ପୁଲିସ୍ ବିଭାଗ ପକ୍ଷରୁ ଗାଡ଼ି ଚେର୍କିଂ ସହ ଜୋରିମାନା ଆଦାୟ ଠାରୁ ଲାଇସେନ୍ସ ରଦ୍ଦ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ବହୁ ସମୟରେ ଦେଖିବାକୁ ମିଳିଛି । ଘରୁ ପଦାକୁ ବାହାରିଲେ ବରିଷ୍ଠ ନାଗରିକ ଓ ମହିଳାଙ୍କୁ ଏହି ବେପରୁଆ ଗାଡ଼ି ଚଳାନାର ଭୟ ଘାରୁଛି । ଟ୍ରାଫିକ୍ ନିୟମ ଉଲ୍ଲଘଂନ କରି ସହର ଭିତରେ ବିନା ହେଲମେଟ୍ରେ ବାଇକ ଚଳାଇବା, ଭୁଲରାସ୍ତାରେ ଯିବା, ଦୁଇରୁ ଊଦ୍ଧ୍ୱର୍ ବାଇକରେ ନ ବସିବା ନିୟମ ଥିଲେ ସୁଦ୍ଧା କେହି ଏହାକୁ ଖାତିର୍ କରୁନାହାନ୍ତି । ଏଭଳି ଦ୍ରୁତ ଗତିରେ ଗାଡ଼ି ଚଳାଇ ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । କଲେଜକୁ ବାଇକ ନେଇ ଆସୁଥିବା ଛାତ୍ରଛାତ୍ରୀ ଲାଇସେନ୍ସ ନ ଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ କିମ୍ବା ପୁଲିସ୍ ପକ୍ଷରୁ ଯାଞ୍ଚ କରାଯାଉନାହିଁ । ଟ୍ରାଫିକ୍ ସଚେତନତା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ବିଭିନ୍ନ ସ୍ଥାନମାନଙ୍କରେ ଯାଞ୍ଚ କରାଯାଇ ଜୋରିମାନା ଆଦାୟ କରାଯାଉଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଟ୍ରାଫିକ୍ ସଚେତନତା ସୃଷ୍ଟି ହୋଇପାରୁ ନାହିଁ । ତେବେ ସମ୍ପ୍ରତି ଦ୍ରୁତଗାମୀ ବାଇକ୍ ଚାଳନାକୁ ପ୍ରତିହତ ସକାଶେ ଟ୍ରାଫିକ ନିୟମ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ ସହ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଜରୁରୀ ହୋଇପଡ଼ିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।