ସର୍ବଭାରତୀୟ ପୁଲିସ ହକି ଚାମ୍ପିଅନସିପ୍ : ୪ର୍ଥ ଦିନରେ ୭ ମ୍ୟାଚ୍

 ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୁଲିସ ହକି ଚାମ୍ପିଅନସିପ୍ର ଆଜି ୪ର୍ଥ ଦିନରେ ୭ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍ ସିଆଇଏସଏଫ ଓ ଏସଏସବି ଦଳ ମଧ୍ୟରେ ହୋଇଥିବା ବେଳେ ଏଥିରେ ସିଆଇଏସଏଫ, ଏସଏସବିକୁ ୩-୨ ଗୋଲରେ ପରାସ୍ତ କରିଛି । ଦ୍ୱିତୀୟ ମ୍ୟାଚ୍ ଏସଏସବି ଓ କେରଳ ପୁଲିସ ମଧ୍ୟରେ ହୋଇଥିବା ବେଳେ ଏଥିରେ ବିଏସଏଫ, କେରଳ ପୁଲିସ ଦଳକୁ ୬-୦ ଗୋଲ୍ରେ ହରାଇଛି । ସେହିପରି ସିଆରପିଏଫ ଓ ତାମିଲନାଡୁ ପୁଲିସ ମଧ୍ୟରେ ତୃତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଆରପିଏଫ, ତାମିଲନାଡୁ ପୁଲିସ ଦଳକୁ  ୫-୨ ଗୋଲ୍ରେ ହରାଇଛି । ଚତୁର୍ଥ ମ୍ୟାଚ୍ ପଶ୍ଚିମବଙ୍ଗ ଓ ମଣିପୁର ପୁଲିସ ମଧ୍ୟରେ ହୋଇଥିବା ବେଳେ ମଣିପୁର ପଶ୍ଚିମବଙ୍ଗ ପୁଲିସ ଦଳକୁ  ୪-୨ ଗୋଲ୍ରେ ପରାସ୍ତ କରିଛି । ପଞ୍ଚମ ମ୍ୟାଚ୍ ମହିଳା ବିଭାଗରେ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ମହିଳା ପୋଲିସ ଦଳ ମଧ୍ୟରେ ହୋଇଥିବା ବେଳେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ପୁଲିସ ଦଳକୁ ୩ -୦ରେ ପରାସ୍ତ କରିଛି । ସେହିପରି ଷଷ୍ଠ ମ୍ୟାଚ୍ରେ ପଞ୍ଜାବ, ତ୍ରିପୁରା ପୋଲିସ ଦଳକୁ ୮ -୦  ଗୋଲରେ ପରାସ୍ତ କରିଥିବା ବେଳେ ସପ୍ତମ ତଥା ଶେଷ ମ୍ୟାଚ୍ରେ ଆଇଟିବିପି, ଚଣ୍ଡିଗଡ ପୁଲିସ ଦଳକୁ ୪-୧ ଗୋଲରେ ପରାସ୍ତ କରିଥିଲା ।  
ଆଜି ଅନୁଷ୍ଠିତ ଖେଳରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବି. ପରମେଶ୍ୱରନ, ଖେଳ ବିଭାଗର ନିଦେ୍ର୍ଦଶକ ଦୀପଙ୍କର ମହାପାତ୍ର, ଜଳ ବିଭାଜିକା ଉନ୍ନୟନର ନିଦେ୍ର୍ଦଶକ ନିଖିଲ ପବନ କଲ୍ୟାଣ, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ନିଦେ୍ର୍ଦଶକ, ବିପିଏସପିଏ) ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ ସାହୁ,   ଡିଆଇଜି (କ୍ରାଇମବ୍ରାଞ୍ଚ) ବାତୁଳା ଗଙ୍ଗାଧର, ରେଳବାଇ ଏସପି ବିବେକାନନ୍ଦ ଶର୍ମା  ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।