ସାଇନ୍ ବୋର୍ଡ଼ରେ ‘ବାହ୍ୟ ମଳ ମୁକ୍ତ ଗାଁ’ : ଶୌଚାଳୟ ପାଲଟିଛି ଡଷ୍ଟବିନ

 ଦାନଗଦୀ : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନେ କିପରି ସୁସ୍ଥ ନିରାମୟ ଜୀବନଯାପନ କରିବେ ସେଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ବିଭିନ୍ନ ଜନହିତକର ଯୋଜନାମାନ ଘୋଷଣା କରିଥା’ନ୍ତି  । ସେଥିମଧ୍ୟରୁ ଗ୍ରାମୀଣ ଶୈାଚାଳୟ ହେଉଛି ଅନ୍ୟତମ  । ସ୍ୱଚ୍ଛ ଭାରତ ଯୋଜନା ଅଧିନ ମିଶନ ଗ୍ରାମୀଣ ଶୌଚାଳୟ ଯୋଜନାକୁ ବଡ଼ ସଫଳତା ବୋଲି କୁହାଯାଉଛି  । ହେଲେ ତୃଣମୂଳ ସ୍ତରର ସତ ହେଉଛି ଭିନ୍ନ । ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ବା ଗୋଟିଏ ଗୋଟିଏ ଗାଁକୁ ବାହ୍ୟ ମଳମୁକ୍ତ ଗାଁରେ ପରିଣତ କରିବାକୁ କେନ୍ଦ୍ର ସରକାର ପ୍ରତି ଘରକୁ ଶୌଚାଳୟ ଯୋଜନାରେ ଅନ୍ତର୍ଭୁକ୍ତ କରିଥିଲେ  ।
ସ୍ୱଚ୍ଛ ଭାରତ ମିଶନରେ ଗ୍ରାମୀଣ ଶୌଚାଳୟ ନିର୍ମାଣ ଯୋଜନା ଲୋକଙ୍କ ପାଇଁ ଜରୁରୀ ଆବଶ୍ୟକତା ଥିଲା । କେହି ବାହାରେ ଖୋଲା ଜାଗାରେ ମଳତ୍ୟାଗ କରିବେ ନାହିଁ  । ନଦୀ, ନାଳ, ପୋଖରୀରେ ଶୌଚ ହେବେ ନାହିଁ  । ଯାହାଫଳରେ ବର୍ଷା ହେଲେ ମଳ ପାଣିରେ ଭାସି ଯାଇ ଜଳାଶୟ ପ୍ରଦୂଷିତ ହେବନାହିଁ । ଏହି କାରଣରୁ ଡ଼ାଇରିଆ ପରି ବିଭିନ୍ନ ରୋଗ ବ୍ୟାପିବ ନାହିଁ, ପରିବେଶ ସୁସ୍ଥ ରହିବ । ଗ୍ରାଉଣ୍ଡ ଜିରୋରୁ ମିଳିଥିବା ତଥ୍ୟ କହୁଛି ୫୦ ପ୍ରତିଶତ ପରିବାର ସରକାରୀ ଶୌଚାଳୟକୁ ଅଳିଆଗଦା ବା ଡଷ୍ଟବିନ ଭାବେ ବ୍ୟବହାର କରାଯାଉଛି  । ଦାନଗଦୀ ବ୍ଲକର ୨୩ ପଞ୍ଚାୟତର ଗାଁ ଗହଳିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି  । ଗାଁର ଅଧା ଲୋକ ଖୋଲା ମେଲାରେ, ବିଭିନ୍ନ ଜଳାଶୟ, ପୋଖରୀ, ନାଳ, ଜଙ୍ଗଲ ପାଖରେ ଦୈନିକ ମଳତ୍ୟାଗ କରୁଛନ୍ତି  । ଏହାସହ ପୋଖରୀ, ନାଳମାନଙ୍କରେ କିମ୍ବା ଖୋଲା ଜାଗା ପଡିଆରେ ପାଣିରେ ଶୌଚ ହେଉଛନ୍ତି  । ଯାହାଫଳରେ ପଲ୍ଲୀ ପରିବେଶ ସମ୍ପୂର୍ଣ୍ଣ ପ୍ରଦୂଷିତ ହେଉଛି  । ବାହାରେ ମଳତ୍ୟାଗ କଲେ ମଇଳା ସବୁ ବର୍ଷା ପାଣିରେ ଭାସିଯାଇ ନାଳରେ ମିଶୁଛି ଓ ଡାଇରିଆ ପରି ରୋଗ ହୁହୁ  ବ୍ୟାପିଯାଉଛି  ।
ସବୁ ଗାଁକୁ ଗଲେ ସ୍ୱଚ୍ଛ ଭାରତ ମିଶନରେ ନିର୍ମାଣ ହୋଇଥିବା ଗ୍ରାମୀଣ ଶୌଚାଳୟଗୁଡିକ ଭିତରେ କେଉଁଠି ଲୋକମାନେ ନିଜର ଘରର ଅଦରକାରୀ ଜିନିଷଗୁଡିକ ଭର୍ତ୍ତି କରିରଖିଛନ୍ତି ତ ଆଉ କେଉଁଠି ଜାଳେଣି କାଠ, କୋଇଲା, ଜରିଅଖା ଭର୍ତ୍ତି ହୋଇରହିଛି  । ଛୋଟ ଛୋଟ ଷ୍ଟୋର ରୁମ ହୋଇଛି ପାଇଖାନା  । ଆଉ କେଉଁଠି ଶୌଚାଳୟ ଦୀର୍ଘଦିନ ହେବ ବ୍ୟବହାର ହେଉନଥିବାରୁ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି  । ଗ୍ରାମାଞ୍ଚଳରେ କାମ ପାଇଥିବା ଠିକାଦାର ର ଠ ଭାବେ ନିମ୍ନମାନର କାମ କରିଛନ୍ତି  । ପିସି ଦେଇ ବିଲ ଉଠାଇ ଦେଇ କାମ ସାରିଦେଇଥିବା ବେଳେ ଯେଉଁ ଲକ୍ଷ୍ୟରେ ଶୈାଚାଳୟ ନିର୍ମାଣ ହୋଇଥିଲା ତାହାର ଓଲଟା ଚିତ୍ର ବିଭିନ୍ନ ଗାଁରେ ଦେଖିବାକୁ ମିଳିଛି  । କେଉଁଠି ପୁରୁଣା ଶୌଚାଳୟ ଉପରେ ରଙ୍ଗ ବୋଲି ନାଁ ଲେଖି ବିଲ ହୋଇଛି ତ କେଉଁଠି ଅଧ ପନ୍ତରିଆ ହୋଇ ବିଲ ହୋଇଯାଇଛି  । ସ୍ୱଚ୍ଛ ଭାରତ ଯୋଜନା ଦାନଗଦୀ ବ୍ଲକରେ ଫେଲ୍ ମାରିଛି ବୋଲି କୁହାଯାଉଛି