ପୁଲିସ ନିରବ; ଏସପିଙ୍କୁ ଭେଟିଲେ ଦମ୍ପତି
ପାଣିକୋଇଲି : ଜାତିଆଣ ଆକ୍ଷେପ ସହ ଜୀବନରୁ ମାରିଦେବାକୁ ଧମକ ମାମଲାରେ ଯାଜପୁର ସଦର ପୁଲିସ ମାମଲା ରୁଜୁ କରି ନୀରବ ବସିଛି । ପୁଲିସ ଠାରୁ ନ୍ୟାୟ ନପାଇ ପୀଡିତା ପରିବାର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସଦର ଥାନା ନାଥସାହି ପଞ୍ଚାୟତର ନୂଆପଡା ଗ୍ରାମର ଶରତ ଜେନାଙ୍କ ସ୍ତ୍ରୀ ରଞ୍ଜିତା ଜିଲା ପୁଲିସ ମୁଖ୍ୟାଳୟରେ କରିଥିବା ଅଭିଯୋଗ ମୁତାବକ ସରକାରଙ୍କ ପକ୍ଷରୁ ତାଙ୍କ ଗ୍ରାମରେ ଷ୍ଟ୍ରିଟ ଲାଇଟ ଲାଗୁଥିଲା । ଜନବସତି ଅଞ୍ଚଳରେ ଏହାନଲାଗି ରାସ୍ତାରେ ଲଗାଯାଉଥିବା ନେଇ ଶରତ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଫଳରେ ସରପଞ୍ଚଙ୍କ ସ୍ୱାମୀ କୈଳାସ ପହି ଆସି ଗତ ୫ ତାରିଖରେ ଧମକ ଦେବା ସହ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିଥିଲେ । କାହିଁକି ଅଭିଯୋଗ କଲ ବୋଲି ଏଥିପାଇଁ ସ୍ୱାମୀ ସ୍ତ୍ରୀକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରଦିନ ସରପଞ୍ଚ ସସ୍ମିତା ପହି ପହଁଚି ଅନୁରୂପ ବ୍ୟବହାର କରିଥିଲେ । ସେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି । ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ଏସପିଙ୍କୁ ଅଭିଯୋଗ କରିଥିଲେ ।