ପଲ୍ଲୀ ଅଞ୍ଚଳ ଲୋକଙ୍କୁ ସଠିକ ସେବା ଯୋଗାଉନି ବାରାଖାଇ ସ୍ୱାସ୍ଥ୍ୟକେନ୍ଦ୍ର
ଦାନଗଦୀ,: ଦାନଗଦୀ ବ୍ଲକ ବାରାଖାଇରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସଠିକ୍ ସେବା ଯୋଗାଉନି । ପଲ୍ଲୀ ଅଞ୍ଚଳରେ ହଜାର ହଜାର ଜନସାଧାରଣ, ବୃଦ୍ଧା, ବୃଦ୍ଧ, ଶିଶୁ ମାନଙ୍କୁ ଘରେ ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୧୨ ବର୍ଷ ହେବ ରଣାଗୁଣ୍ଡି ପଞ୍ଚାୟତ ବାରାଖାଇ ଗ୍ରାମରେ ଖୋଲା ଯାଇଛି ସ୍ୱାସ୍ଥ୍ୟ କେନ୍ଦ୍ର । ସ୍ୱାସ୍ଥ୍ୟ କେନ୍ଦ୍ର ହେବା ପରେ ବୃଦ୍ଧା, ବୃଦ୍ଧ ଶିଶୁ ମାନଙ୍କୁ ଆଉ ଦୂରକୁ ଯିବା ପାଇଁ ପଡିବ ନାହଁ ବୋଲି ଧରି ନେଇଥିଲେ । ହାତ ପାହାନ୍ତାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାକୁ କେନ୍ଦ୍ର ଖୋଲିଥିଲେ ହେଁ ସେବା ଯୋଗାଇ ଦେବାରେ ବିଫଳ ହୋଇଛି ବାରାଖାଇ ସ୍ୱାସ୍ଥ୍ୟ କେନ୍ଦ୍ର । ରୋଗୀ ସେବା ଯୋଗାଇ ଦେବା ପାଇଁ ଥିବା ଦୁଇ ଜଣ ଡାକ୍ତର ମନଇଛାରେ ଡିୟୁଟି ଆସୁଛନ୍ତି ।
ପାଳି କରି ଆଜି ଜଣେ କାଲି ଜଣେ ଆସୁଥିବା ଲୋକମାନେ ଅଭିଯୋଗ କରୁଥିବା ବେଳେ ଫାର୍ମାସିଷ୍ଟଙ୍କ ଭରଷାରେ ସ୍ୱାସ୍ଥ୍ୟ ସେବା ଚାଲିଛି ବୋଲି ଅଭିଯୋଗ ହୁଏ । ଏପରିକି ଦିନ ୧୧ ଟା ପରେ କେହି ଡାକ୍ତର ରହୁନଥିବା, ଡାକ୍ତରଙ୍କ ପାଇଁ ରହିବା ପାଇଁ ଘରର ବ୍ୟବସ୍ଥାଥିଲେବି ରହୁନଥିବା, ରୋଗୀଙ୍କୁ ବାହାରୁ ଔଷଧ କିଣିବା ପାଇଁ ଚିଠା ଲେଖାଯାଉଥିବାର ଅଭିଯୋଗ ହେଉଛି । ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ନେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ କମ, ଘରୋଇ ହସ୍ପିଟାଲରେ ଡ଼ାକ୍ତର ଅଧିକ ସମୟ ଦେଉଛନ୍ତି । ମହିଳା ମାନଙ୍କୁ ସେବା କରିବାକୁ ନର୍ସ ଜଣେ ମଧ୍ୟ୍ ନାହଁନ୍ତି । ସୁରକ୍ଷା ବ୍ୟବସ୍ଥା ପାଇଁ ଜଣେ ମାତ୍ର ସୁରକ୍ଷା କର୍ମୀ ଅଛନ୍ତି । ଏହି କାରଣରୁ ପଲ୍ଲୀ ଅଞ୍ଚଳର ସମସ୍ତେ ଫାର୍ମାସିଷ୍ଟଙ୍କୁ ଡାକ୍ତର ବୋଲି ଧରି ନେଇଛନ୍ତି । ଦୁଇ ଜଣ ଡାକ୍ତର ଥାଉ ଥାଉ ଫାର୍ମାସିଷ୍ଟ ଚିଠା ଲେଖିବା ରୋଗୀ ଦେଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠାରୁ ଦୁଃଖର କଥା ହେଲା ଏହି କେନ୍ଦ୍ରର ମରାମତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିବା ୪ଲକ୍ଷ ଟଙ୍କାର କାମକୁ ଜୈନିକ ଠିକାଦାର ଖାଲି ପାଚେରୀରେ ଅଧା ରଙ୍ଗ ମାରି ଚଳୁ କରିଦେଇଛନ୍ତି । ଘର ଭିତରେ ଟାଇଲ ଖସି ପଡ଼ିଲାଣି, କବାଟ ଝରକା ଠିକ ଭାବେ ଲାଗୁନାହିଁ । ନିମ୍ନ ମାନର କାମ କରି ଠିକାଦାର ଠକିଦେଇ ଅର୍ଥ ଚଳୁ କରିଦେଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଜଣାଇ ଦେଉଛି । ତେଣୁ ପଲ୍ଲୀ ଅଞ୍ଚଳରେ ହୋଇଥିବା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର କିପରି ଠିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ ସେଥିପାଇଁ ଅଞ୍ଚଳବାସୀ ଦାବୀ କରିବା ସହ ନିମ୍ନ ମାନର କାମ ପାଇଁ ସଠିକ ତଦନ୍ତ କରିବାକୁ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଦାବୀ କରିଛନ୍ତି ।