ସାଇବର ବୁଦ୍ଧିମତ୍ତା ସମ୍ପର୍କିତ ଏକ କର୍ମଶାଳା
କଟକ : ରାଜ୍ୟ କ୍ରାଇମବ୍ରାଞ୍ଚ ଆନୁକୂଲ୍ୟରେ ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା ସମ୍ପର୍କିତ ଏକ କର୍ମଶାଳା ସାଇବର କମ୍ଲେକ୍ସରେ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୂର ଖୁରାନିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି କର୍ମଶାଳାକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଆଗାମୀ ଦିନରେ ସାଇବର ଅପରାଧକୁ ରୋକିବାକୁ ରାଜ୍ୟର ସମସ୍ତ ରେଞ୍ଜ ଏବଂ ଜିଲ୍ଲାସ୍ତରରେ ସାଇବର ଅପରାଧ ତଦନ୍ତ ସମ୍ପର୍କିତ କର୍ମଶାଳାର ଆୟୋଜନ କରାଯିବ ଏବଂ ଏଥିରେ କନଷ୍ଟେବଳ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ଅଧିକାରୀମାନେ ଅଂଶଗ୍ରହଣ କରିବେ । ଅଳ୍ପ ସମୟ ମଧ୍ୟରେ ଅଧିକାରୀଙ୍କୁ ସାଇବର ଅପରାଧର ସଠିକ ତଦନ୍ତ ଏବଂ ନିଜର ଦକ୍ଷତା ପ୍ରତିପାଦନ କରିବାରେ ଏହି କର୍ମଶାଳା ସେମାନଙ୍କୁ ବିଶେଷ ସହାୟକ ହେବ ବୋଲି ଡିଜଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି ।
ଭିତ୍ତିଭୂମି ଏବଂ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଅଦୃଶ୍ୟ ଅପରାଧୀଙ୍କୁ ମୁକାବିଲା କିରବାକୁ ହେଲେ ପୋଲିସକୁ ନିଜର ଦକ୍ଷତା ବିକାଶ ଏବଂ ନିରନ୍ତର ତାଲିମ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କର୍ମଶାଳା ଆୟୋଜନ କରାଯିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି । ଏହା ବ୍ୟତୀତ ଭୁବନେଶ୍ୱର ଠାରେ ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର ପ୍ରତିଷ୍ଠା କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଡିଜିପି କହିଥିଲେ । ସାଇବର ଅପରାଧ ନିୟନ୍ତ୍ରଣ, ଚିହ୍ନଟ ଏବଂ ଅପରାଧର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ପ୍ରଦାନ ଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଏହି ସେଣ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ଡିଜିପି କହିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡିଜିପି କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କ୍ରାଇମବ୍ରାଞ୍ଚ ଆଇଜି ଡ ସାର୍ଥକ ଷଡଙ୍ଗୀ କର୍ମଶାଳା ଆୟୋଜନ ଓ ପରିଚାଳନା କରିଥିଲେ । ଡିଆଇଜି ପିନାକ ମିଶ୍ର କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସାଇବର ବିଶେଷଜ୍ଞ ଡ ରକ୍ଷିତ ଟଣ୍ଡନ ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଧିକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ ।