ମରଣଯନ୍ତା ପାଲଟିଛି ବୁଦ୍ଧ ଛକ-ଧର୍ମଶାଳା ରାସ୍ତା
ଧର୍ମଶାଳା ; ବ୍ଲକ ଜାରକା ବୁଦ୍ଧ ଛକ ଠାରୁ ଧର୍ମଶାଳା ବ୍ରାହ୍ମଣୀ ନଦୀକୁ ସଂଯୋଗ କରୁଥିବା ଜଗନ୍ନାଥ ସଡକ ମରଣ ଯନ୍ତା ପାଲଟିଛି । ଏହି ରାସ୍ତାର ପ୍ରଶସ୍ତି କରଣ ପାଇଁ ପୂର୍ତ ବିଭାଗ ପକ୍ଷରୁ ୧୪କୋଟି ୬୪ଲକ୍ଷ ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇକାର୍ଯ୍ୟାଦେଶ ଦିଆଯାଇଛି । ଡିସେମ୍ବର ମାସ ୨୦୨୩ ମସିହାରେ ଏହି ରାସ୍ତାର ଶିଳାନ୍ୟାସ କରାଯାଇଥିଲେ ହେଁ ବହୁ ବିଳମ୍ବରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ରାସ୍ତାର ପ୍ରଶସ୍ତିକରଣ ସହିତ ରାସ୍ତାର ୩ ଗୋଟି ସ୍ଥାନରେ ଛୋଟ ଛୋଟ ପୋଲ ନିର୍ମାଣ କରିବା ଲାଗି ଠିକାଦାର ବିଭାଗ ସହିତ ଚୁକ୍ତି କରିଥିଲା । ତେବେ ଅବଧି ସରିବାର ୯ ମାସ ପରେ ମଧ୍ୟ ଏହି ରାସ୍ତା ନିର୍ମାଣ କାମ ସମ୍ପୁର୍ଣ୍ଣ ହୋଇପାରୁ ନାହିଁ । ରାସ୍ତାର ଶାନ୍ତିବଜାର ନିକଟରେ ଦୁଇ ଗୋଟି ଛୋଟ ଛୋଟ ପୋଲ ନିର୍ମାଣ କରାଯାଇଥିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ହୋଇ ନଥିବାରୁ ଅନେକ ସମୟରେ ବାଇକ ଓ କାରବାଲା ଜାଣି ନପାରି ପୋଲ ଉପରୁ ତଳକୁ ଖସିପଡୁଛନ୍ତି । ଏବେ ବର୍ଷା ଦିନ ହୋଇଥିବାରୁ ଲୋକେ ତଳେ ପାଣିରେ ପଡିବା ଫଳରେ ବର୍ତ୍ତି ଯାଉଛନ୍ତି । ଏହି ପୋଲ କାମ ସମାପ୍ତ ହୋଇ ନଥିବାରୁ ଏହି ରାସ୍ତାରେ ନଯିବା ଲାଗି ବାଡ଼ା କରିବା ଆବଶ୍ୟକ ରହିଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏହା ସମ୍ଭବପର ହୋଇପାରୁ ନାହିଁ । ଗତ କିିଛି ଦିନ ତଳେ ଏକ ବାଇକ ଆରୋହୀ ଉକ୍ତ ରାସ୍ତାରେ ଯାଉଥିବା ବେଳେ ହଠାତ ୨୦ଫୁଟ ତଳକୁ ବାଇକ ସହ ଖସିପଡିଥିଲା । ତେବେ ତଳେ ପାଣି ରହିଥିବାରୁ ଯୁବକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ବାକଟି ଉଦ୍ଧାର କରାଯାଇଥିଲା । ଅନେକ ସମୟରେ ଧର୍ମଶାଳା ଆଡୁ ଆସୁଥିବା ଅଜଣା ଲୋକମାନେ ସିଦ୍ଧା ରାସ୍ତା ଭାବି ନୂତନ ପୋଲ ରାସ୍ତା ଦେଇ ଯିବା ସମୟରେ ଏଭଳି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ବଡଧରଣର କୌଣସି ଅଘଟଣ ଘଟିବା ପୁର୍ବରୁ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ନଦେଲେ ଆଗକୁ ବଡଧରଣର ଅଘଟଣ ଘଟିବା ନେଇ ଆଶଙ୍କା କରାଯାଇଛି । ଯଥାଶିଘ୍ର ଏହି ଅଧା ନିର୍ମାଣ ରାସ୍ତାକୁ ସିଲ କରିବାକୁ ସାଧାରଣରେ ଦାବି ହୋଇଛି ।