ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୭ ଘଡ଼ିଆଳ କୁମ୍ଭୀର

 ଅନୁଗୋଳ ଜିଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ସୁନାଖଣିଆ ଘାଟଠାରେ ନନ୍ଦନକାନନରୁ ଅଣାଯାଇଥିବା ୫ ଘଡ଼ିଆଳ ଓ ସାତକୋଶିଆ ଟିକରପଡ଼ା ଚିଡ଼ିଆଖାନାରୁ ଆସିଥିବା ୨କୁ ମିଶାଇ ମୋଟ ୭ କୁମ୍ଭୀରକୁ ମୁକ୍ତ କରାଯାଇଛି। ଏହି ଅବସରରେ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା ଦୁଇଦିନିଆ ସାତକୋଶିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ଘଡ଼ିଆଳ ପୁନରୁଦ୍ଧାର ଯୋଜନାର କାର୍ଯ୍ୟର ତଦାରଖ କରିଛନ୍ତି। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ସୁନାଖଣିଆ ଘାଟ ଠାରେ ମୋଟ ୭ ପ୍ରାପ୍ତ ବୟସ୍କ ଘଡ଼ିଆଳ ଛଡ଼ାଯାଇଛି। ସେଥି ମଧ୍ୟରୁ ୨ଟି ଅଣ୍ଡିରା ହୋଇଥିବା ବେଳେ ୫ଟି ମାଈ ଅଛନ୍ତି। ଏହି ୭ କୁମ୍ଭୀର ମଧ୍ୟରୁ ୫ଟି ନନ୍ଦନକାନନରୁ ଆସିଥିବା ବେଳେ ଆଉ ୨ଟି ସାତକୋଶିଆ ଟିକରପଡା ଚିଡ଼ିଆଖାନାର ବୋଲି ବିଭାଗୀୟ ସୁତ୍ରରୁ ଜଣାପଡ଼ିଛି। କାର୍ଯ୍ୟକ୍ରମରେ ନନ୍ଦନକାନନ ନିର୍ଦ୍ଦେଶକ, ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ), ଡ. ମନୋଜ ଭି. ନୟାର, ଘଡ଼ିଆଳ ପୁନଃଉଦ୍ଧାର ଯୋଜନା ଉପଦେଷ୍ଟା ସୁଦର୍ଶନ ମହାରଣା, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଡଃ ସରୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।