ସାମାଜିକ କର୍ମୀଙ୍କୁ ଆକ୍ରମଣ, ଥାନାରେ ମାମଲା 

ସାମାଜିକ ଗଣମାଧ୍ୟମରେ ଫେକ୍ ଆଇଡି ଜରିଆରେ ଚରିତ୍ର ସଂହାର କରି ସାମାଜିକ କର୍ମୀଙ୍କୁ ଦିବାଲୋକରେ ଆକ୍ରମଣ କରାଯାଇଥିବା ସମ୍ପର୍କରେ ସୁକିନ୍ଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ, ସିଭିଲ ସୋସାଇଟ ଫୋରମ ଯାଜପୁରର ସମ୍ପାଦକ ବିଶ୍ୱନାଥ ପାତ୍ରଙ୍କ ସହ ତାଙ୍କ ପରିବାରର ଚରିତ୍ର ସଂହାର କରି ସୁକିନ୍ଦା ଜାମୁପୋଷି ଗ୍ରାମର ସୁଶାନ୍ତ ମଲ୍ଲିକ ନାମକ ଜଣେ ଯୁବକ ରବିବାର ଫେସ ବୁକରେ ପୋଷ୍ଟ କରିଥିଲେ । ଯୋଜନାବଦ୍ଧ ଭାବେ ସୋମବାର ସକାଳୁ ସୁକିନ୍ଦା ବ୍ଲକ ସାମ୍ନାରେ ଛପି ରହିଥିଲେ । ବିଶ୍ୱନାଥ କୌଣସି ଏକ କାମରେ ବ୍ଲକ କାର୍ଯ୍ୟାଳୟ ଯାଉଥିବା ସମୟରେ ସୁଶାନ୍ତ, ବିବେକାନନ୍ଦ ବୋଷ ଏବଂ କିଛି ବିଜେଡ଼ି କର୍ମି ଅତର୍କିତ ଆକ୍ରମଣ କରି ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ବିଶ୍ୱନାଥ ଅଭିଯୋଗ କରିଛନ୍ତି କି ଡାନି ବାବୁ ବିରୁଦ୍ଧରେ ମୁହଁ ଖୋଲିଲେ ବମ୍ ପକାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ।  ସୁକିନ୍ଦାର ପୂର୍ବତନ ବିଧାୟକ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ କୁଠାର ଘାତ କରି ରାଜନୈତିକ ଅଭିସନ୍ଧିକୁ ଚରିତାର୍ଥ କରିବାକୁ ସୁକିନ୍ଦା ମାଟିରେ ଅଶାନ୍ତିର ବିଷ ମଞ୍ଜି ବୁଣି ହିଂସା, ବିଦ୍ୱେଷ ସୃଷ୍ଟି କରି ଦଙ୍ଗା ଭିଆଇବାକୁ ଷଡଯନ୍ତ୍ର ରଚୁଥିବା ସମ୍ପର୍କରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ବନ୍ଧରେ ବିଶ୍ୱନାଥ ଅଭିଯୋଗ କରି ନିଜ ଜୀବନର ସୁରକ୍ଷା ଦାବି କରିଛନ୍ତି ।