କଳିର କାରଣ ସାଜିଛି ସାମାଜିକ ଗଣମାଧ୍ୟମ : ସୁକିନ୍ଦାକୁ ଉଷ୍ମ କରିଛି ବାକ୍ବିତଣ୍ଡା ଓ ମାରପିଟ୍ 

 ଯାଜପୁର/ଯଖପୁରା : ନିର୍ବାଚନ ବର୍ଷକରେ ସୁକିନ୍ଦାର କ୍ରୋମଯୋନ ଅଶାନ୍ତ ହୋଇପଡ଼ିଛି । ବିଜେଡ଼ି-ବିଜେପି ମୁହାଁମୁହିଁ ହେଉଛନ୍ତି । ମାମଲା ପରେ ମାମଲା କେବଳ ବଢୁନି, ପୁଲିସ ବି ଅକଳରେ ପଡ଼ିଛି । ଗଲା କିଛି ଦିନ ମଧ୍ୟରେ ଯାହା ବି ଘଟିଛି ତା ପଛରେ ଖଣି ଅଞ୍ଚଳରେ ଦବଦବା ବଜାୟ ରଖିବା ପ୍ରମୁଖ କାରଣ ହୋଇଥିଲେ ବି ମାରପିଟ୍ ଏତଲା ଏବଂ ହଙ୍ଗାମା ଭଳି କଳିର କାରଣ ସାଜାଜିକ ଗଣମାଧ୍ୟମ ସାଜିଛି ବୋଲି କହିଲେ ଭୁଲ ହେବନି । ଅସଲି ଆଇଡ଼ି ହେଉ କି ଫେକ୍ ଆଇଡି ଜରିଆରେ ସାମାଜିକ ଗଣମାଧ୍ୟମରେ ନେତା, ପୁଲିସ,ବିଜେଡ଼ି-ବିଜେପିର ଚରିତ୍ର ସଂହାର ସହ ଆକ୍ଷେପ ପ୍ରତିଆକ୍ଷେପ ସୁକିନ୍ଦା ରାଜନୀତିକୁ ଉଷ୍ମ କରିଛି । ବର୍ତ୍ତମାନ ମୋବାଇଲ ଯୁଗ । ଆଧୁନିକ ସମାଜରେ ସର୍ବାଗ୍ରେ ରହିଛି ମୋବାଇଲ । ଯେହେତୁ ସାମାଜିକ ଗଣମାଧ୍ୟମ ଉପରେ କୌଣସି ଅଙ୍କୁଶ ନାହିଁ । ତେଣୁ ଯିଏ ଯାହା ପାରୁଛି କରିବାକୁ ପଛାଉନି । ଏବେତ ରାଜନୈତିକ ଦଳ ସାମାଜିକ ଗଣମାଧ୍ୟମ ଉପରେ ଅଧିକ ଫୋକସ କରୁଛି । ହେଲେ ସାମାଜିକ ଗଣମାଧ୍ୟମରୁ ହିଂସା ବଢୁଥିଲେ ହେଁ ତାହାକୁ ରୋକାଯାଇପାରୁନି । ସାମାଜିକ ଗଣମାଧ୍ୟମ ପାଇଁ କିଛି ମାସ ହେବ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳୁଛି । ବାଦ ବିବାଦକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଚାଲିଛି । ସ୍ୱ-ଇଛାରେ ହେଉ କି ପ୍ରରୋଚନାରେ ସାମାଜିକ ଗଣମାଧ୍ୟମରେ ଯୋଡ଼ି ହୋଇଥିବା ଅନେକ ଯୁବ ସମାଜ ନିଜର ଆଭିମୁଖ୍ୟକୁ ଉପସ୍ଥାପନା କରିବା ଫଳରେ ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି କର୍ମୀ ମଧ୍ୟରେ ବାକ୍ବିତଣ୍ଡା ଘଟୁଛି । ଆକ୍ଷେପ ପ୍ରତି ଆକ୍ଷେପକୁ ନେଇ ଅନେକ ସମୟରେ ଉଭୟ ଦଳ ହିଂସା ପଥକୁ ଆପଣେଇ ଥିବାର ଦେଖିବାକୁ ମିଳୁଛି । ଯାହା ଉଗ୍ରରୂପ ଧାରଣ କରୁଛି । କିଛି ଦିନ ମଧ୍ୟରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ସାମାଜିକ ଗଣମାଧ୍ୟମ ପାଇଁ ମରଣାତ୍ମକ ଆକ୍ରମଣ ଦେଖିବାକୁ ମିଳିଛି । ସେ ରୋହିତ ଖୁଣ୍ଟିିଆଙ୍କ ଉପରେ ଆକ୍ରମଣ ହେଉ କିବା ସିଦ୍ଧାନ୍ତ ପରିଡ଼ା ଉପରେ କଳିଆପାଣି ଆଇଆଇସିଙ୍କ ଅମାନବିକ ବ୍ୟବହାର ହେଉ କି ବିଶ୍ୱନାଥ ମଲ୍ଲିକଙ୍କୁ ଗାଳି ଗୁଲଜ କରିବା ସବୁ ସାମାଜିକ ଗଣମାଧ୍ୟମରେ ଆକ୍ଷେପ ପ୍ରତି ଆକ୍ଷେପକୁ ଦାୟୀ କରାଯାଇପାରେ । କେବଳ ଏହି ଉଦାହରଣ ଯଥେଷ୍ଟ ନୁହେଁ ଅନେକ ଯୁବବର୍ଗ ଫେକ୍ ଆଇଡି କରି ଅନେକ ସମୟରେ ବ୍ୟକ୍ତିଗତ ଭାବରେ ଅନ୍ୟକୁ ଅପମାନିତ କରିବା ଆଉ ତାଙ୍କର ବ୍ୟକ୍ତିଗତ ଚରିତ୍ରକୁ ସଂହାର କରିବା ନୀତିଗତ ଅଭ୍ୟାସ ହୋଇପଡିଛି । ଫଳରେ ସାମାଜିକ ଗଣମାଧ୍ୟମରେ ବ୍ୟକ୍ତିଗତ ଆକ୍ଷେପ ପାଇଁ ଅନେକ ବ୍ୟକ୍ତି ମାନସିକ ଯନ୍ତ୍ରଣା ଭୋଗ କରୁଛି । ବେଳେ ବେଳେ ସାମାଜିକ ଗଣମାଧ୍ୟମରେ ସମାଲୋଚନା ଭଦ୍ର ସମାଜ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ସାମାଜିକ ଗଣମାଧ୍ୟମ ମାଧ୍ୟମରେ ହେଉଥିବା ଅଶାଳୀନ ଘଟଣା ଉପରେ ଯଦି ଅଙ୍କୁଶ ଲଗାନଯାଶ, ତେବେ ଭବିଷ୍ୟତରେ ଆଇନ କାନୁନ୍ ବିଗିଡ଼ିବା ଭଳି ପରିସ୍ଥିତି ଉପୁଜିବାର ସମ୍ଭାବନାକୁ ଏଡ଼େଇ ଦିଆଯାଇନପାରେ ।