ବରିଷ୍ଠ ବିଜେପି ନେତା ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକ 

ବରିଷ୍ଠ ବିଜେପି ନେତା ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକ 

ଭୁବନେଶ୍ଵର : ବରିଷ୍ଠ ବିଜେପି ନେତା ଏବଂ ସାହିତ୍ୟିକ ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ତାଙ୍କୁ ଗତକାଲି କ୍ୟାପିଟାଲ ହସ୍ପିଟାଲରୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ପୂର୍ବରୁ, ଶଙ୍କର୍ଷଣଙ୍କ ଚିକିତ୍ସା ମୁମ୍ବାଇରେ କରାଯାଇଥିଲା । ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଏବଂ ଅଧିକ ଚିକିତ୍ସା ପାଇଁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଫୁସଫୁସ କର୍କଟ ରୋଗରେ ପୀଡିତ ଥିଲେ। ସେ ଜିଲା ପରିଷଦ ସଭାପତି ଏବଂ ପୁରୀ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ବିଜେପି ରାଜ୍ୟ ପଞ୍ଚାୟତିରାଜ ସେଲର ସେ ଅଧ୍ୟକ୍ଷ ଥିଲେ। ଅର୍ଥାଭାବ ଯୋଗୁଁ ତାଙ୍କ ଚିକିତ୍ସାରେ ବାଧା ଉପୁଜିଥିଲା। ଦଳର କୌଣସି ନେତା କିମ୍ବା ମନ୍ତ୍ରୀ ତାଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ସାକ୍ଷାତ କରି ନଥିଲେ କିମ୍ବା ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇନଥିଲା। ଏହି ଖବର ଗତକାଲି ସମାଜରେ ପ୍ରକାଶ ପାଇବା ପରେ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। 

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ :-

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି, ଦଳର ବରିଷ୍ଠ ନେତା ତଥା ସୁସାହିତ୍ୟିକ ଶଙ୍କର୍ଷଣ ପରିଡାଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବରେ ଦୁଃଖିତ ଓ ମର୍ମାହତ। ତାଙ୍କର ଦେହାନ୍ତ ଓଡ଼ିଶା ରାଜନୀତି ଓ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଆଦର୍ଶ, କର୍ତ୍ତବ୍ୟନିଷ୍ଠା ଓ ସମାଜ ପ୍ରତି ଥିବା ଉତ୍ସର୍ଗୀକୃତ ଭାବନା ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ।