ସାମାନ୍ୟ ବର୍ଷାରେ ବ୍ରହ୍ମବରଦା ମୁଖ୍ୟ ରାସ୍ତା ବେହାଲ


ବ୍ରହ୍ମବରଦା, : ରସୁଲପୁର ବ୍ଲକ ଅଧୀନ ବ୍ରହ୍ମବରଦା ପଞ୍ଚାୟତର ମୁଖ୍ୟ ରାସ୍ତା ଏବେ ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ସାମାନ୍ୟ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ ହୋଇଯାଉଛି । ବିଶେଷ କରି ବ୍ରହ୍ମବରଦା ଇଦଗା ଛକ ଠାରୁ ମାଛ ମାର୍କେଟ ପର୍ଯ୍ୟନ୍ତ ବର୍ଷା ପାଣିରେ ରାସ୍ତାଟି ପୁରା ଉବୁଟୁବୁ ହେଉଥିବା ବେଳେ ମାଛ ମାର୍କେଟ ଠାରୁ ଚଣ୍ଡି ମନ୍ଦିର ପର୍ଯ୍ୟନ୍ତ ଓ ମହିମା ଛକ ନିକଟରୁ ଚାରିଗାରପୁର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା କହିଲେ ନସରେ । ଉକ୍ତ ରାସ୍ତାଟି ଆଣ୍ଠୁଏ ଲେଖା ଖାଳଖମାରେ ଭର୍ତ୍ତି ହେବା ସହ ସାମାନ୍ୟ ବର୍ଷା ହେଲେ ଦୀର୍ଘ ଦିନ ଧରି ପାଣି ଜମି ରହୁଛି । ଫଳରେ ପାଣିରୁ ଦୁର୍ଗନ୍ଧ ବାହାରିବା ସହ ଅପରିଷ୍କାର ପାଣିରେ ଲୋକେ ପଶି ଯିବାଆସିବା କରିବା ଦ୍ୱାରା ନାନା ପ୍ରକାରର ଚର୍ମ ରୋଗ ହେବାର ଆଶଙ୍କା ବଢୁଛି । ତା ସହିତ ବ୍ରହ୍ମବରଦା ଅଞ୍ଚଳ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଦୈନିକ ଉକ୍ତ ଖାଳଖମା ରାସ୍ତା ଦେଇ ଶହଶହ ସଂଖ୍ୟାରେ ବ୍ୟବସାୟୀ ନିଜ ଗାଡିମଟର ନେଇ ଯିବାଆସିବା ସମୟରେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ବିଶେଷ କରି ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ୪ଟି ବିଦ୍ୟାଳୟ ଓ ବ୍ରହ୍ମବରଦା ମହାବିଦ୍ୟାଳୟ ରହିଥିବାରୁ କଲେଜ ଛାତ୍ରଛାତ୍ରୀ ଓ କୁନିକୁନି ବିଦ୍ୟାର୍ଥୀ ଉକ୍ତ ଜଳପୂର୍ଣ୍ଣ ଗାଢ଼ ରାସ୍ତା ଦେଇ ଯାତାୟତ କରିଥାନ୍ତି । ଆଉ ଯିବାଆସିବା ସମୟରେ ସାମାନ୍ୟ ଟିକେ ଅସାବଧାନତା ହେଲେ ପାଣିଭର୍ତ୍ତି ଗାଢ଼ରେ ପଡି ପୁରା ପାଣି କାଦୁଅରେ ସଡସଡ ହୋଇଯାନ୍ତି । ହେଲେ ଜାରକା ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟାଳୟ ନିଦାବିଷ୍ଣୁ ପାଲଟିଛି । ବିଭାଗ ଅଧିନରେ ଥିବା ପ୍ରଥମାଖଣ୍ଡି ଠାରୁ ବନ୍ଧଢିଅ ପର୍ଯ୍ୟନ୍ତ ନିର୍ମାଣଧିନ ପ୍ରଧାନମନ୍ତ୍ରୀ ଗ୍ରାମ୍ ସଡକ ଏବେ ଅଧାପନ୍ତରିଆ ହୋଇ ପଡିରହିଛି । ରାସ୍ତା ନିର୍ମାଣ ଅବଧି ଶେଷ ହୋଇ ପୁଣି ରାସ୍ତା କାର୍ଯ୍ୟ ଆରମ୍ଭ ମଧ୍ୟତାହା ଆଜି ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି । ପ୍ରଥମାଖଣ୍ଡି ଠାରୁ ଝାଲପଡା ଛକ ପର୍ଯ୍ୟନ୍ତ ରାସ୍ତା କାମ ଶେଷ ହୋଇଥିବା ବେଳେ ବ୍ରହ୍ମବରଦା ଠାରୁ ବନ୍ଧଢିଅ ପର୍ଯ୍ୟନ୍ତ ୩ କି ମି ରାସ୍ତାକାମ ଚାଲୁରହି ଦୀର୍ଘ ଏକ ମାସ ହେବ ବନ୍ଦ ରହିଛି । ତେଣୁ ବ୍ରହ୍ମବରଦା ମୁଖ୍ୟ ରାସ୍ତା ଦେଇ ଯିବାଆସିବା କରିବା ପାଇଁ ଆଖପାଖ ଅଞ୍ଚଳର ଲକ୍ଷାଧିକ ଲୋକ ନିର୍ଭର କରୁଛନ୍ତି । କିନ୍ତୁ ବିଭାଗ ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦେଉନି । ଅଭିଯୋଗ କଲେବି ବିଭାଗକୁ ଫରକ ପଡ଼ୁନି । ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସାଧାରଣରେ ଦାବି ହୋଇଛି ।