ସୂଚନା ଆଇନକୁ ବେଖାତିର... ବ୍ଲକ, ତହସିଲ୍ ଓ ପୂର୍ତ୍ତ ବିଭାଗରୁ ମିଳୁନି ତଥ୍ୟ

 କୁଆଖିଆ : ଭାରତ ସରକାରଙ୍କ ସୂଚନା ଅଧିନିୟମ ଆଇନ ଅନୁଯାୟୀ ଦେଶର ପ୍ରତ୍ୟେକ ନାଗରିକ ସରକାରୀ ଯୋଜନାର ସମସ୍ତ ତଥ୍ୟ ଜାଣିବାର ଅଧିକାର ରହିଛି  । କିନ୍ତୁ ସରକାରୀ କର୍ତ୍ତୁପକ୍ଷ ସୂଚନା ଅଧିକାର ଆଇନକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି  । ଯାହାର ଉଦାହରଣ ହେଉଛି ରସୁଲପୁର ବ୍ଲକ୍, ତହସିଲ୍ ଓ ଗୋପାଳପୁର ପୂର୍ତ୍ତ ବିଭାଗ  । ସୂଚନା ଅନୁଯାୟୀ, ଗତ୧୬ା୭ା୨୫ରେ କୈଳାସ ଚନ୍ଦ୍ର ମଲିକ ୨୦୧୫ ଠାରୁ ୨୦୨୬ ପର୍ଯ୍ୟନ୍ତ ବ୍ଲକକୁ ଆସିଥିବା ପ୍ଲାଣ୍ଟେସନ ଯୋଜନାର ଅର୍ଥ ପରିମାଣ ଓ ତାର ସମସ୍ତ ବିବରଣୀ, ପାଣିକୋଇଲି ପୂର୍ତ୍ତ ବିଭାଗ ଅଧୀନରେ ଯାଉଥିବା କୁଆଖିଆ-ଯାବରା ରୋଡ୍ର ମରାମତି, ରାସ୍ତା ସମ୍ପ୍ରସାରଣ ନିମନ୍ତେ ୨୦୧୫ ଠାରୁ ୨୦୨୫-୨୬ ଆର୍ଥିକ ବ୍ୟୟ ବରାଦର ଅଟକଳ ପରିମାଣ ଓ କାର୍ଯ୍ୟାଦେଶର ନକଲ କପି ସହ ରସୁଲପୁର ତହସିଲ ଅଧୀନରେ ସରକାରୀ ଜବରଦଖଲରେ ମୌଜା ୱାରୀ ଥିବା ରକ୍ଷିତ, ଅନାବାଦୀ, ଗୋଚର, ଶ୍ମଶାନ, ଜଙ୍ଗଲ, ଜଳାଶୟ ପ୍ରଭୁତି ସରକାରୀ କିସମ ଜମି ଗୁଡ଼ିକର ସବିଶେଷ ତଥ୍ୟ ସୂଚନା ଅଧିକାର ଆଇନ ଅନୁଯାୟୀ ମାଗିଥିଲେ  । 
ଆବେଦନ କରିବାର ଅବଧି ଠାରୁ ପ୍ରାପ୍ତି ହେବାର ସମୟସୀମା ଯିବାପରେ ବିଭାଗୀୟ ଅଧିକାରୀମାନଙ୍କ ଠାରୁ କୌଣସି ଉତ୍ତର ନପାଇ ଶ୍ରୀ ମଲିକ ପୁନର୍ବାର ତା୪ା୯ା୨୫ରେ ପ୍ରତ୍ୟକ୍ଷ ଭାବେ ରସୁଲପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଭେଟି ଅପିଲ କରିଥିଲେ  । ଅପିଲର ଉତ୍ତର ଏଯାଏ ମିଳିନଥିବା ବେଳେ ଗୋପାଳପୁର ପୂର୍ତ୍ତ ବିଭାଗ ଯନ୍ତ୍ରୀ ସୂଚନା ତାଙ୍କ ନିକଟରେ ପହଞ୍ଚି ନାହିଁ ବୋଲି ମନାକରି ପାଣିକୋଇଲି ଅଫିସକୁ ମାଗ ବୋଲି କହିଥିଲେ  । ସେହିପରି ରସୁଲପୁର ତହସିଲକୁ ଉପରୋକ୍ତ ତଥ୍ୟ ପାଇବା ପାଇଁ ମାଗିଥିଲେ ମଧ୍ୟ ତାହା ଏଯାଏ ମିଳିପାରିନି  । ଏଥିରୁ ବୁଝାପଡ଼େ ପୂର୍ବ ସରକାର ସମୟରେ ହୋଇଥିବା କୋଟି କୋଟି ଟଙ୍କା ଦୁର୍ନୀତିର ଗନ୍ତାଘର ପାଲଟି ଥିବା ଏହି ୩ଟି ବିଭାଗର ଗୁମର ଫିଟିବା ଭୟରେ ତଥ୍ୟ ଦେଉ ନଥିବା ମଲିକ ମତ ଦେଇଥିବା ବେଳେ ଏ ସମ୍ପର୍କରେ କମିଶନଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି  ।