ସାଲେପୁର ମହୋତ୍ସବର ତୃତୀୟ ସନ୍ଧ୍ୟା : ପାରମ୍ପରିକ ନୃତ୍ୟରେ ବିଭୋର ହେଲେ ଦର୍ଶକ
ସାଲେପୁର : ସାଲେପୁର ବ୍ଲକ୍ ବାଲିସାହି ପଞ୍ଚାୟତ ହରିଚନ୍ଦନପୁର ପଡ଼ିଆରେ ଚାଲିଥିବା ଉକ୍ରଳ ଦିବସ ଓ ସାଲେପୁର ମହୋତ୍ସବର ତୃତୀୟ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଦେଖି ବିଭୋର ହେଲେ ଦର୍ଶକ । ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟ, ଗୀତ ଓ ପାରମ୍ପରିକ ନାଚରେ ମସଗୁଲ ହୋଇଥିଲେ ଉପସ୍ଥିତ ଦର୍ଶକ । ଏହି କାର୍ଯ୍ୟକ୍ରମର ତୃତୀୟ ସନ୍ଧ୍ୟାରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତି ଉଦେ୍ଦଶ୍ୟରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଓଡ଼ିଆ ପରମ୍ପରା ଓ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଆଗାମୀ ଯୁବପୀଢ଼ିଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯେଉଁ ପନ୍ଥା ଗ୍ରହଣ କରିଛନ୍ତି ତାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ସେ ପ୍ରକାଶ କରିଥିଲେ । ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ରଜନୀକାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବ୍ଲକ୍ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ, ସାଲେପୁର ବ୍ଲକ୍ ବିଜେଡି ସଭାପତି ଅନନ୍ତ ଚରଣ ପ୍ରଧାନ, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବାଲିସାହି ପଞ୍ଚାୟତ ସରପଞ୍ଚ ପବିତ୍ର ସାମଲ, ଯୁବନେତା ଗୁଲରେଜ ଅଲ୍ଲୀ, ଯୁବବିଜେଡି ସଭାପତି ସଂଜିତ ଦାଶ, ଛାତ୍ରବିଜେଡି ସଭାପତି ଶୁଭମ ଦାଶ, ସନିଆ ସାହୁ, ବିନୋଦ ମଲ୍ଲିକ, ରାଜେଶ ମହାନ୍ତିଙ୍କ ସମେତ ବହୁ ସଦସ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।