ସାହିତ୍ୟ ପତ୍ରିକା ‘ମକର ମଣ୍ଡା' ଲୋକାର୍ପଣ
ସାରସକଣା: ସାରସକ୍ଷେତ୍ର କଲ୍ୟାଣ ମଣ୍ଡପରେ ନନ୍ଦିଘୋଷ ସାହିତ୍ୟ ସମାଜ ସାରସକଣା ଆନୁକୂଲ୍ୟରେ ମକର ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସମାଜର ସଭାପତି ଡ.ଉପେନ୍ଦ୍ର ନାଥ ସାହୁଙ୍କ ପୌରୋହିତ୍ୟରେ ବରିଷ୍ଠ ସାମ୍ବାଦିକ ଶଶୀ ରଞ୍ଜନ ମଲ୍ଲିକ, ଓଡ଼ିଆ ସାହିତ୍ୟ ମୁଖଶାଳା ସୁବର୍ଣ୍ଣଶ୍ରୀ ପ୍ରକାଶନୀର ସଂସ୍ଥାପକ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ, କାଳିପଦ ପଣ୍ଡା ଏବଂ ସାରସକଣାର ବିଧାୟକ ଭାଦ୍ରବ ଚନ୍ଦ୍ର ହାଁସଦାଃ ଯଥାକ୍ରମେ ମୁଖ୍ୟଅତିଥି, ମୁଖ୍ୟବକ୍ତା, ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ମିଳନ ସଭାକୁ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ଅତିଥିଗଣଙ୍କ କରକମଳରେ ସାହିତ୍ୟ ସମାଜର ଏକତ୍ରିଂଶତମ ବର୍ଷସଂଖ୍ୟା ସାହିତ୍ୟ ପତ୍ରିକା "ମକର ମଣ୍ଡା -୨୦୨୫’ ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ମାଟିର ସୁପୁତ୍ର, ଓଡ଼ିଶାର ଅନ୍ୟତମ ସାରସ୍ୱତ ପ୍ରତିଭା, କୋଡ଼ିଏରୁ ଊର୍ଦ୍ଧ୍ୱ ଉପନ୍ୟାସ ଗଳ୍ପ କବିତା ଓ ଭ୍ରମଣ କାହାଣୀ ଆଦିର ସ୍ରଷ୍ଟା, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ବର୍ଦ୍ଧନା ପ୍ରାପ୍ତ ସାହିତି୍ୟକ, କୁଞ୍ଜ ବିହାରୀ ପାଢୀଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ନନ୍ଦିଘୋଷ ସାହିତ୍ୟ ସମାଜ "ମକର ମଣ୍ଡା’ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଜଗନ୍ନାଥ ସଂସ୍କୃତିର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସାରସକ୍ଷେତ୍ର ଶ୍ରୀଜଗନ୍ନାଥ ପୀଠରେ ନିୟମିତ ଆଧ୍ୟାତ୍ମିକ ସେବା ପ୍ରଦାନ କରି ଆସୁଥିବା ସ୍ଥାନୀୟ ବାସିନ୍ଦା ସର୍ବଶ୍ରୀ କାର୍ତ୍ତିକ ଚନ୍ଦ୍ର ସାହୁ, ନନ୍ଦିଘୋଷ ମଣ୍ଡଳ ଓ ଶ୍ରୀମତୀ ଗୀତା ରାଣୀ ସାହୁଙ୍କୁ ମଧ୍ୟ ଶ୍ରୀଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସମ୍ମାନରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମକର ମଣ୍ଡା ସାହିତ୍ୟ ପତ୍ରିକାର ମୁଖ୍ୟ ସମ୍ପାଦକ ପଦ୍ମନାଭ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ଜଗନ୍ନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଶ୍ରୀଜଗନ୍ନାଥ ଭଜନ ପରିବେଷଣ କରିଥିଲେ ସଂଗୀତ ଶିଳ୍ପୀ ମୃତୁ୍ୟଞ୍ଜୟ ଭୋଳ, ସଞ୍ଜୟ ଭୋଳ, ସତ୍ୟଦୀପ ଓ ସତ୍ୟସୁନ୍ଦର । ସମାରୋହ ଆୟୋଜନରେ ମକର ମଣ୍ଡା ପରିବାରର ସଦସ୍ୟସଦସ୍ୟା ସର୍ବଶ୍ରୀ ଅନ୍ତର୍ଯ୍ୟାମୀ ସାହୁ, ନବକିଶୋର ସେଠୀ, ସଞ୍ଜୀବ କୁମାର ସାହୁ, ଅତୁଲଚନ୍ଦ୍ର ଦାସ, ମନୋଜ କୁମାର ସାହୁ, ନୀଲୁ କୁମାର ମଣ୍ଡଳ, ହିମାଂଶୁ ଶେଖର ସାହୁ ଏବଂ ସାହିତ୍ୟ ସମାଜର କର୍ମକର୍ତ୍ତା ସୁରଥ କୁମାର ସାହୁ, ପ୍ରଦୀପ ପାଲିତ, ବାସୁଦେବ ସାହୁ, ଦୁର୍ଗା ପ୍ରସାଦ ନନ୍ଦୀ ଓ ରବୀନ୍ଦ୍ର ନାଥ ଭୋଳ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ‘ମକର ମଣ୍ଡା' ପତ୍ରିକାର ସହ ସମ୍ପାଦିକା ଗାଳ୍ପିକା ସୁଶ୍ରୀ ଅଞ୍ଜଳି ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ତେବେ ଉତ୍ସବର ପ୍ରାରମ୍ଭରେ ସୁବର୍ଣ୍ଣରେଖା କେନାଲର ଗହିର ଜଳରେ ଦୁର୍ଘଟଣାର ଶିକାର ହୋଇ ସଲୀଳ ସମାଧି ଲଭିଥିବା ସାରସକଣା ଶିଶୁ ବିଦ୍ୟା ମନ୍ଦିରର ତିନି ନିଷ୍ପାପ ଛାତ୍ର ସ୍ୱର୍ଗତ ଯଶୋବନ୍ତ ସାଇ, ମଦନ ମୋହନ ଓ ଶ୍ରୀୟାଂଶୁଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।