ଗୋଷ୍ଠୀ ସଂଘର୍ଷ ପାଇଁ ପ୍ରଶାସନର ୧୬୩ଧାରା
ହିନେ୍ଦାଳ: ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ଉପଖଣ୍ଡ ବେଡାପଡାରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ନେଇ ଅଞ୍ଚଳରେ ପୁଲିସ ପ୍ରଶାସନ ପକ୍ଷରୁ ୧୬୩ ଧାରା ଲାଗୁ କରାଯାଇଛି । ପ୍ରକାଶ ଯେ, ଗତ ୧୨ତାରିଖରେ ହିନେ୍ଦାଳ ବ୍ଲକ ବାବନ୍ଧ ଜିପି ରାସୋଳ ଥାନା ଅନ୍ତର୍ଗତ ବେଡାପଡା ଗ୍ରାମରେ କ୍ରିକେଟର ଖେଳର ଶେଷ ଦିବସରେ ବାଣଫୁଟା ଓ ବାଇକ୍ ନେବାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଖେଳ ଶେଷ ପରେ ଗୋଟିଏ ଗୋଷ୍ଠୀର ଯୁବକମାନେ ଅନ୍ୟ ଗୋଷ୍ଠୀ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ରାକେଶ ପରିଡ଼ା(୨୫) ନାମକ ଯୁବକ ଗୁରୁତର ଆହତ ହେବା ସହ ଅନ୍ୟ ଦୁଇଜଣ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଗ୍ରାମରେ ଭୟଙ୍କର ଉତ୍ତେଜନା ଦେଖା ଦେବା ସହ ରାସୋଳ ପୁଲିସ ଗ୍ରାମର ଉଭୟ ଗୋଷ୍ଠୀରୁ ପ୍ରାୟ ୩୩ ଜଣଙ୍କୁ ଥାନାରେ ଅଟକ ରଖି କୋର୍ଟଚାଲାଣ କରିବା ସହ ପ୍ରଶାସନ ପକ୍ଷରୁ ଗ୍ରାମରେ ୧୪୪ ଧାରା ଜାରି ହୋଇଥିଲା । ତେବେ ଗ୍ରାମ ପୁରୁଷ ଶୂନ୍ୟ ହୋଇଯାଇଥିବାବେଳେ ଗ୍ରାମରେ ଭିତରେ ଭିତରେ ଉତ୍ତେଜନା ବୃଦ୍ଧି ପାଇବା ସହ ଉଭୟ ଗୋଷ୍ଠୀ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଆଗକୁ ବଡଧରଣର ଗୋଷ୍ଠୀ ସଂଘର୍ଷ ହେବା ଆଶଙ୍କାକୁ ଆଖି ଆଗରେ ହିନେ୍ଦାଳ ଉପଜିଲ୍ଲାପାଳଙ୍କ ପକ୍ଷରୁ ଡକାବାଜି ଯନ୍ତ୍ର ଯୋଗେ ୧୪/୧/୨୫ରୁ ଆସନ୍ତା ୨୦/୧/୨୫ ପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଧରା ୧୬୩ ଲାଗୁ କରିବା ସହ ଜନସାଧାରଣ ଏକାଠି ନ ହେବା, ମେଳି ନ କରିବା ଏବଂ ସଂଘର୍ଷକୁ ପ୍ରୋତ୍ସାହନ ନ ଦେବାକୁ ତାଗିତ କରିଛନ୍ତି । ତେବେ ବେଡାପଡାରେ ଗ୍ରାମ ଜନଶୂନ୍ୟ ହୋଇଯିବା ସହ ଆଗକୁ କ’ଣ ଯେ ଘଟିବ ସେଥିପାଇଁ ଜନସାଧାରଣ ସନ୍ଦିହାନ ଥିବା ଦେଖାଯାଇଥିବାବେଳେ ପ୍ରଶାସନ ପକ୍ଷରୁ ସତର୍କତା ସହ ପରିସ୍ଥିତି ଉପରେ ନଜର ରଖି ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି ।