ସୁଜାଗଡ ୟୁପି ସ୍କୁଲରେ ଅନିୟମିତତା: ଧାରଣାରେ ବସିଲେ ଛାତ୍ରୀଛାତ୍ର ଓ ଅଭିଭାବକ
ଖଇରା : ଖଇରା ବ୍ଲକ ସାରକୋଣା ଗ୍ରାମ ପଞ୍ଚାୟତ ଅଧୀନ ସୁଜାଗଡ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀଙ୍କ ମନୋମୁଖୀ କାର୍ଯ୍ୟକଳାପ ସହ ଆର୍ଥୀକ ଅନିୟମିତତା ହେଉଥିବା ଅଭିଯୋଗ ଆଣି ପରିଚାଳନା କମିଟି, ଛାତ୍ରୀଛାତ୍ରଙ୍କ ସହ ଗ୍ରାମବାସୀର ଧାରଣାରେ ବସିଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ମାଣିକ ମିଶ୍ର ଧାରଣାସ୍ଥଳରେ ପହଞ୍ଚି ଅଭିଭାବକ ଓ କମିଟି ସଦସ୍ୟଙ୍କ ସହ ଆଲୋଚନା କରି ୨୩ ହଜାର ୬୧୬ଟଙ୍କାର ହିସାବ କମିଟିକୁ ଦେବାକୁ ପ୍ରଧାନଶିକ୍ଷୟତ୍ରୀଙ୍କୁ ନିଦେ୍ର୍ଦଶ ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅଭିଯୋଗ ଅନୁଯାୟୀ ପ୍ରଧାନଶିକ୍ଷୟତ୍ରୀ ସରସ୍ୱତୀ ମଲ୍ଲିକ ନୂତନ ପରିଚାଳନା କମିଟି ଗଠନ ପରଠାରୁ ଗୋଟିଏ ହେଲେ ବୈଠକ ଡକା ନଯିବା, ବିଦ୍ୟାଳୟକୁ ଆସିଥିବା ଅନୁଦାନର ହିସାବ କମିଟିକୁ ନଦେବା, କମିଟି ସଭ୍ୟକୁ ଗାଳିଗୁଲଜ କରାଯିବା ଭଳି ଅଭିଯୋଗର ତଦନ୍ତ ପାଇଁ ଅଗଷ୍ଟ ୬ ତାରିଖରେ କମିଟି ସଦସ୍ୟମାନେ ସିଆରସିସି ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ । ହେଲେ ଅଭିଯୋଗର ସମାଧାନ ନହେବାରୁ ପରିଚାଳନା କମିଟି ସଭାପତି ଅଶେଷ ପରିଡା, ରିତାଞ୍ଜଳୀ ମଲ୍ଲିକ, ସୁରେନ୍ଦ୍ର ପରିଡା, ଶଶିକାନ୍ତ ପାତ୍ରଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିଲା ।