ସୁଶାନ୍ତ ବାରିକଙ୍କ ଲୋଡର କିଣା ମାମଲା... ରାଜା ଚକ୍ର ଓ ସହଯୋଗୀଙ୍କ ଜାମିନ ଖାରଜ

 କେନ୍ଦୁଝର : ରାଜ୍ୟର ବହୁଚର୍ଚ୍ଚିତ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଅର୍ଥ ହେରଫେର ଘଟଣାରେ ଗିରଫ ହୋଇଥିବା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର, ଲୋଡିଂ ଆସୋସିଏସନର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉକôଳ ଦାସଙ୍କ ସମେତ ଅନ୍ୟ ତିନିଜଣଙ୍କର କେନ୍ଦୁଝର କୋର୍ଟରେ ଥିବା ୩ ମାମଲାରେ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେ୍ରଟ ବା ଏସଡିଜେଏମଙ୍କ କୋର୍ଟରେ ଜାମିନ ଖାରଜ ହୋଇଛି ।  ସହକାରୀ ସରକାରୀ ଓକିଲ ସତ୍ୟବ୍ରତ ମହାନ୍ତିଙ୍କ ସୂଚନା ଅନୁଯାୟୀ ରାଜା ଚକ୍ର ଓ ଅନ୍ୟ ସହଯୋଗୀଙ୍କ ନାମରେ ଥିବା ୩ ମାମଲାର ଶୁଣାଣୀ କରି ଏସଡିଜେଏମ ଦାୟିତ୍ୱରେ ଥିବା ଜେଏମଏଫସି ଏହି  ଜାମିନକୁ ଖାରଜ କରିଛନ୍ତି । ଏହା ସହିତ ତିନିଗୋଟି ମାମଲାରେ ପୁଲିସର ରିମାଣ୍ଡକୁ ମଞ୍ଜୁର କରାଯାଇଥିବାବେଳେ ସେ ବିଚାରାଧିନ ବନ୍ଦୀ ଭାବରେ ଥିବାରୁ ତାଙ୍କୁ ରିମାଣ୍ଡରେ ନିଆଯାଇପାରିବ । ଜିଆର କେଶ ସଂଖ୍ୟା ୫୩/୫୪/୨୦୨୫,୬୪୫/୨୦୨୫ ଓ ସିଡି ସିଆଇବି ମାମଲାର ୩/୩.୫.୨୦୨୫ରେ ମାମଲା ରହିବା ସହିତ ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଜାମିନ ଖାରଜ ହୋଇଛି  ବୋଲି ଏପିପି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି  । ଏହାପୁର୍ବରୁ ଦୁଇଟି କେଶରେ ହାଇକୋର୍ଟରୁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି  ।  ସୂଚନାଯୋଗ୍ୟ ଯେ,ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ସଦସ୍ୟ ଥିବା ଶୁଆକାଟିର ସୁଶାନ୍ତ କୁମାର ବାରିକଙ୍କ ଏତଲା ଅନୁଯାୟୀ ୨୦୧୮ମସିହାରେ ରାଜା ଚକ୍ରଙ୍କଠାରୁ ୨୦ଲକ୍ଷ ୫୦ହଜାର ଟଙ୍କା ଦେଇ ଓଆର-୦୯ -କୁ୍ୟ -୦୮୨୧ନମ୍ବର ଥିବା ଏକ ଲୋଡର କିଣିଥିଲେ । ଏହାକୁ ଗନ୍ଧମାର୍ଦ୍ଦନ ଲୌହ ଖଣିରେ କାର୍ଯ୍ୟରେ ଲଗାଇଥିଲେ । ଏହାକୁ ନେଇ ରାଜା ଚକ୍ର, ସଦାଶିବ ସାମଲ, ମାନସ ବାରିକ, ସୁଧାଂଶୁ ନାୟକ, ସମୀର ଜେନା, ଜ୍ୟୋତିରଞ୍ଜନ ମିଶ୍ର ତାଙ୍କୁ ଆକ୍ରମଣ କରିବା ସହ ରାଜା ଚକ୍ର ତାଙ୍କୁ ପିସ୍ତଲ ଦେଖାଇ ଧମକ ଦେଇଥିଲେ । ଏହାକୁ ନେଇ ସୁଶାନ୍ତ ସଦର ଥାନାରେ ୨୦୨୫ମସିହା ଏପ୍ରିଲ ୨୬ତାରିଖରେ ଏକ ଏତଲା ଦେଇଥିଲେ । ପୋଲିସ କେଶ ସଂଖ୍ୟା ୧୮୪ ତା ୨୬.୦୪.୨୦୨୫ ମାମଲା ରୁଜୁ କରିଥିଲା । ଏହି ମାମଲାର ଜାମିନକୁ ଶନିବାର ଖାରଜ ହୋଇଛି ।