ସୂର୍ଯ୍ୟପ୍ରଭା’ ଆଶଙ୍କା ସତ ହେଲା... ପଥର ଖାଦାନରେ ବୁଡି ଟାଟା କର୍ମଚାରୀଙ୍କ ମୃତୁ୍ୟ

 ଦାନଗଦୀ: ବିପଦ ପାଲଟିଛି ମୋରମ ଖାଦାନ, ଅଘଟଣ ଘଟିଲେ ଦାୟୀ ରହିବ କିଏ ଶୀର୍ଷକ ଖବର ତା୫ା୫ା୨୫ରେ ପ୍ରକାଶ ପାଇଥିଲା । ଏକର ଏକର ଜମିରୁ ମୋରମ ଲୁଟି ଲୁଟେରା ଲୁଟିନେବା ପରେ ଖାଦାନକୁ ଖୋଲାମେଲାରେ ଛାଡ଼ି ଦିଆଯାଇଥିବାକୁ ନେଇ   ୨ମାସ ତଳେ ଯେଉଁ ଆଶଙ୍କା ସୂର୍ଯ୍ୟପ୍ରଭା ପ୍ରକାଶ କରିଥିଲା, ତାହା ହିଁ ସତ ହୋଇଛି । ଖାଦାନରେ ବୁଡି ଜଣେ ଟାଟା କର୍ମଚାରୀଙ୍କର ମୃତୁ୍ୟ ଘଟିଛି ।  ଖବର ମୁତାବକ କଳିଙ୍ଗନଗର ଚମ୍ପା କୋଇଲାରୁ ଟାଟା କମ୍ପାନୀ ଦ୍ୱାରା ବିସ୍ଥାପିତ ହୋଇ ଦାନଗଦୀ ତ୍ରିଜଙ୍ଗା ଟାଟା କଲୋନୀରେ ସପରିବାର ରହୁଥିବା ଫକୀର ଚାମ୍ପିୟାଙ୍କ ପୁଅ ସିରିକା (୪୬)ଗତକାଲି ଅପରାହ୍ନରେ ଧୂଳିଗଡ଼ ଜଙ୍ଗଲ ପାଖରେ ଥିବା ଏକ ପଥର ଖାଦାନ ଆଡେ ଶୌଚ ହେବା ପାଇଁ ଆସିଥିଲେ । ଲଗାଣ ବର୍ଷାରେ ଖାଦାନ ପାଣିରେ ପରିପୂର୍ଣ ଥିଲା । ଅସାବଧାନତା ବଶତଃ ସିରିକା ଖାଦାନରେ ବୁଡି ଯାଇଥିଲେ । ପରିବାର ଲୋକ ଖବର ପାଇଲା ପରେ ତାଙ୍କୁ ଉଦ୍ଧାର କରି ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତୀ କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦାନଗଦୀ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଅଘଟଣ କଲୋନୀରେ ଦୁଃଖର ଛାୟା ଖେଳି ଯାଉଥିବା ବେଳେ ଖୋଲା ମେଲାରେ ଥିବା ମୋରମ ଖାଦାନ ଓ ପାଣି ଭର୍ତ୍ତୀ ପଥର ଖାଦାନ ବିପଦ ପୂର୍ଣ୍ଣ ହୋଇ ପଡ଼ିଥିବାରୁ ଜଣକ ଜୀବନ ଗଲା ବୋଲି ଅଭିଯୋଗ ହେଉଛି । ବିଗତ ଦିନରେ ବର୍ଷା ଦିନେ ପାଣି ଭର୍ତୀ ହୋଇ ଧନ ଜୀବନକ୍ଷତି ହେବାର ସତର୍କ ସୂଚନା ଭିତିକ ଖବର ପ୍ରକାଶିତ କରିଥିଲା । କିନ୍ତୁ ବିଡ଼ମ୍ବନା ଏଥିପ୍ରତି କେହି ଦୃଷ୍ଟି ଦେଲେନି । ଦେଖାଯାଉ ଏହି ଅଘଟଣ ପରେ ଏହି ଅଂଚଳରେ ବିପଦ ପୂର୍ଣ୍ଣ ଭାବେ ଥିବା ମୋରମ ଖାଦାନ ଗୁଡିକ ବୁଝିବାରେ ପ୍ରଶାସନ କି ପ୍ରକାର ପଦକ୍ଷେପ ନେଉଛି ।