ସୂର୍ଯ୍ୟପ୍ରଭା ଲେଖିଥିଲା.. ଲବ କୁଶଙ୍କୁ ମିଳିଲା ଇଲେକ୍ଟ୍ରି ଗାଡି
ଟମକା : ଦୁଇ ଦିବ୍ୟାଙ୍ଗ ଭାଇଙ୍କ ଅନାବିଳ ଭଲପାଇବା ଓ କରୁଣ କାହାଣୀକୁ ସୂର୍ଯ୍ୟପ୍ରଭା ଲୋକ ଲୋଚନକୁ ଆଣିଥିଲା । ଏନେଇ ୨୦୨୪ ମସିହା ଜୁଲାଇ ମାସ ୧୧ ତାରିଖ ସଂସ୍କରଣରେ ‘ଏ ଯୁଗର ଲବକୁଶ’ ଶୀର୍ଷକରେ ଖବର ପ୍ରକାଶ କରିଥିଲା । ଦିବ୍ୟାଙ୍ଗ ହୋଇ ମଧ୍ୟ ସାମ୍ପ୍ରତିକ ସମାଜରେ ଏଭଳି ବିରଳ ଭାତୃତ୍ୱ ସମାଜ ପାଇଁ ଉଦାହରଣ ପାଲଟିଥିବା ବେଳେ ଉକ୍ତ ଖବରକୁ ନେଇ ସାମାଜିକ କର୍ମୀ ମଂଟୁଦାସ ଓ ଟିମ୍ ଦୁଇ ଭାଇଙ୍କ ପାଖରେ ପହଁଚି ତାଙ୍କ ଦୁସ୍ଥ ଜୀବନକୁ ନେଇ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଏନେଇ ପ୍ରଶାସନ ମଧ୍ୟତାଙ୍କ କରୁଣତାକୁ ଦୃଷ୍ଟିରେ ରଖି ତତ୍ପରତା ପ୍ରକାଶ କରିଥିଲା । ୭୦ପ୍ରତିଶତ ଭିନ୍ନକ୍ଷମ ଥିବା ଦୁଇ ଭାଇଙ୍କ ଦୟନୀୟତା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା । ସ୍ଥାନୀୟ କିଆଝର ସରପଞ୍ଚ ରାଜଲକ୍ଷ୍ମୀ ମହାପାତ୍ରଙ୍କ ଉଦ୍ୟମରେ ବ୍ଲକ୍ରେ ଅନୁଷ୍ଠିତ ହୋଇଥିବା ଭିମଭୋଇ ଭିନ୍ନକ୍ଷମ ଶିବିରକୁ ପଠାଇବାର ବ୍ୟବସ୍ଥା କରି ତାଙ୍କୁ ଇଲେକ୍ଟ୍ରି ଗାଡି ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ଯାହା ଶେଷରେ ସଫଳତା ହାସଲ କରିଛି । ଜାନୁଆରୀ ମାସ ୧୭ତାରିଖରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ତରଫରୁ ଦୁଇ ଭାଇଙ୍କୁ ଏକ ୩ଚକିଆ ଇଲେକ୍ଟ୍ରି ଗାଡି ପ୍ରଦାନ କରାଯାଇଛି । ଯାହା ସେମାନଙ୍କ ମୁହଁରେ ହସ ଫୁଟାଇ ଦେଇଛି । ଏଠାରେ ପ୍ରକାଶ ଯେ ଶିଳ୍ପ ସମୃଦ୍ଧ ଦାନଗଦୀ ବ୍ଲକ୍ ଅନ୍ତର୍ଗତ କିଆଝର ପଂଚାୟତ ୧୨ନମ୍ବର ୱାର୍ଡ ଉପର ଟମକା ହେଉଛି ଏହି ଦୁଇ ଭାଇଙ୍କ ଠିକଣା । ବାପା ସୁପାଇ ଓ ମାଆ ମଲ୍ଲୀ ହେସାଙ୍କ ଏହି ଦୁଇ ଜାଆଁଳା ପୁଅ ଲବ ଓ କୁଶ ଜନ୍ମରୁ ଭିନ୍ନକ୍ଷମ । ମା’ଙ୍କ ମୃତୁ୍ୟ ଓ ବାପା କାମ ଅନ୍ୱେଶଣରେ ବାହାରକୁ ଚାଲିଯାଇଥିବା ବେଳେ ଏହି ଦୁଇ ଭାଇ ସାନ ଭାଇ ସହ ମିଶି ଘରେ ରହୁଥିଲେ । ପ୍ରଶାସନ ତରଫରୁ ମିଳିଥିବା ଚାଉଳ ଓ ଭତାରେ ଏମାନଙ୍କ ଜୀବନ ବଂଚିଥିବା ବେଳେ ଗୁରୁଣ୍ଡି ଗୁରୁଣ୍ଡି ନିଜର ସବୁ କାମ ଦୁଇ ଭାଇ କରୁଥିଲେ । ଯାହାକୁ ନେଇ ସୂର୍ଯ୍ୟପ୍ରଭା ପ୍ରଥମେ ଖବର ପ୍ରକାଶ କରିଥିଲା । ତେବେ ଏବେ ଏହି ଇଲେକ୍ଟ୍ରି ଗାଡି ପାଇ ଦୁଇ ଭାଇ ଛକ ବଜାରକୁ ଖୁସିରେ ଯା ଆସ କରୁଥିବା ବେଳେ ଏନେଇ ସ୍ଥାନୀୟ ବାସିନ୍ଦା ସୂର୍ଯ୍ୟପ୍ରଭାରଏଭଳି ଉଦ୍ୟମକୁ ସାଧୁବାଦ ପ୍ରଦାନ କରିଛନ୍ତି ।