ମୁକୁଳା ପଡ଼ିଛି ବିଦୁ୍ୟତ୍ ଟ୍ରାନ୍ସଫର୍ମର
ଚିଲିକାରୁ ଭବାନୀ ଶଙ୍କର ନାୟକ :ରାସ୍ତା କଡରେ ମୁକୁଳା ଅବସ୍ଥାରେ ପଡ଼ିରହିଛି ବିଦୁ୍ୟତ୍ ଟ୍ରାନ୍ସଫର୍ମର । ଚିଲିକା ବ୍ଲକର ଗଙ୍ଗାଧରପୁର ଓ ସିଙ୍ଗିପୁର ଠାରୁ ନାଚୁଣା କଲେଜ ରୋଡ୍କୁ ଯାଇଥିବା ମୁଖ୍ୟରାସ୍ତାକୁ ଲାଗି ପରିତ୍ୟକ୍ତ ଖଣିଧାରରେ ଅବସ୍ଥିତ ମୁକୁଳା ୧୦୦ କେଭିର ତିନି ତିନିଟା ବିଦୁ୍ୟତ୍ ଟ୍ରାନ୍ସଫର୍ମର ବହୁବର୍ଷ ଧରି ବିପଦସଂକୁଳ ଅବସ୍ଥାରେ ପଡିରହିଛି । ଯାହାଫଳରେ ଏହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ନାଚୁଣୀ ବିଦୁ୍ୟତ୍ ଉପଖଣ୍ଡ ଅନ୍ତର୍ଗତ ଏହି ଟ୍ରାନ୍ସଫର୍ମର ଗୁଡ଼ିକରୁ ଆଖପାଖ ଅଞ୍ଚଳକୁ ବିଦୁ୍ୟତ୍ ସଂଯୋଗ ଦିଆଯାଇଛି । ବର୍ଷ ବର୍ଷ ହେଲା ଏହି ଟ୍ରାନ୍ସଫର୍ମର ଗୁଡ଼ିକ ସଂକୁୁଚିତ ଓ ଅଣଓସାରିଆ ହୋଇ ଯାଉଥିବା ନାଚୁଣୀ କଲେଜ ରୋଡ୍ର ଅତି ନିକଟରେ ରହିଛି । ଏହାର ପଛ ପଟେ ବହୁବର୍ଷ ଧରି ପରିତ୍ୟକ୍ତ ହୋଇ ମୁକୁଳା ପଡ଼ିଥିବା ଅଗଭୀର ମାଙ୍କଡ଼ା ଖଣିର ଗଡ଼ାଣିଆ ମାଟି ଉପରେ ବୁଦୁବୁଦିଆ ଘଞ୍ଚ ଅରମା ପରିପୂର୍ଣ୍ଣ ହୋଇ ରହିଛି । ଏହାପାଖ ଦେଇ ଆଖପାଖ ବିଭିନ୍ନ ପଞ୍ଚାୟତର ଜନସାଧାରଣଙ୍କ ସମେତ ସ୍କୁଲ୍ ଓ କଲେଜ ପିଲାମାନେ ଯାତାୟାତ କରିଥାନ୍ତି । ବୁଦୁବୁଦୁକିଆ ଘଞ୍ଚ ଅରମା ଭିତରକୁ ନିରୀହ ପଶୁ ପଶି ବିଦୁ୍ୟତ୍ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି । ଏ ବାବଦରେ ନାଚୁଣୀ ବିଦୁ୍ୟତ୍ ଉପଖଣ୍ଡ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା କୁହାଯାଇଛି । ଏ ସଂପର୍କରେ ବିଦୁ୍ୟତ୍ ଉପଖଣ୍ଡ କାର୍ଯାଳୟ ସହିତ ଯୋଗାଯୋଗ କରିବାରେ ଉପସ୍ଥିତ ଅଧିକାରୀ ଜଣକ ଆବଶ୍ୟକ ପଦକ୍ଷେପ ନେବାକୁ ଉପରିସ୍ଥ ଅଧିକାରୀଙ୍କୁ ନିଶ୍ଚୟ ଜଣାଇବେ ବୋଲି କରିଥିଲେ । ସର୍ବସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଉପରୋକ୍ତ ଟ୍ରାନ୍ସଫର୍ମର ସୁରକ୍ଷାବାଡ଼ ନିର୍ମାଣ ସହିତ ଓ ଏଠାରେ ଆଲୋକ ବ୍ୟବସ୍ଥା ପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି ।