ଏସିଆର ଉଇହୁଙ୍କାରେ ଓଁକାର

ଏସିଆର ଉଇହୁଙ୍କାରେ ଓଁକାର

ମାୟାଧର ନାୟକ : ଏସିଆ ଏକ ଭାବଭୂମି, ମହର୍ଷିର ମହାଦେଶ । ଏହାର ପ୍ରାଚୀନତମ ପ୍ରବାହରେ ଅଛି ମହାମାନବିକ ମୂଲ୍ୟବୋଧର ମାନବଧର୍ମ । ଏହି ମାନବଧର୍ମର ମୂଳମନ୍ତ୍ର ହେଲା - ଧନ ନୁହେଁ, ଧାନ... ତନ୍ତ୍ର ନୁହେଁ, ମନ୍ତ୍ର... ସ୍ୱତ୍ତ୍ୱ ନୁହେଁ, ସତ୍ୟ... ସଂହାର ନୁହେଁ, ସଂହତି... ବିସ୍ଥାପନ ନୁହେଁ, ସଂସ୍ଥାପନ! ଗତିରୁ ପ୍ରଗତୀ – ଚରୈବତି ଚରୈବତି! 
ଏହି ମାନବଧର୍ମର ବିବର୍ତ୍ତିତ ବିଶ୍ୱଧର୍ମ ହେଉଛି ବୌଦ୍ଧଧର୍ମ, ଯାହାର ମହାପ୍ରବକ୍ତା ଗୌତମବୁଦ୍ଧଙ୍କୁ କୁହାଯାଏ “ଏସିଆର ଆଲୋକ” । ବୌଦ୍ଧଧର୍ମର ବାଲ୍ୟଲୀଳା ଭାରତବର୍ଷରେ – ଚୈତନ୍ୟପ୍ରାପ୍ତି ଚୀନ୍‌ରେ – ମାତ୍ର ଅମରତ୍ୱ ଲାଭ ଜାପାନ୍‌ ଦେଶରେ । ହିଂସା, ଆତଙ୍କବାଦ, ଯୁଦ୍ଧ ଓ ଅମାନୁଷିକତାର ଉପସଂହାରରେ ଯଦି ପ୍ରକୃତରେ କୌଣସି ପ୍ରାଚୀନ ଧର୍ମ ମଣିଷର ମର୍ଯ୍ୟାଦା ପ୍ରତି ଅଙ୍ଗୀକାରବଦ୍ଧ, ତାହେଲେ ଏହି ବୌଦ୍ଧଧର୍ମ । ଏହି ବୌଦ୍ଧଧର୍ମ ହିଁ ସେଇ ବୀଜମନ୍ତ୍ରିତ ବିଶ୍ୱଧର୍ମ । ଯେଉଁ ଧର୍ମ ଧାରାରେ ମଣିଷ ହିଁ ଈଶ୍ୱର, ଜୀବ ହିଁ ଶିବ, କରୁଣା ହିଁ କିରଣ । ଏଇ ବୌଦ୍ଧଧର୍ମ ହିଁ ସେଇ ବିଶ୍ୟୈକପ୍ରାଣ ବୀଜଧର୍ମ, ଯାହା ମଧ୍ୟମମାର୍ଗର ମଧୁସାଁନ୍ତନାରେ ସାଧକକୁ ସାଧବ ଓ ସାଧାରଣ ପର୍ଯ୍ୟନ୍ତ ସମୁଦାୟର ସମବାୟ ସିଦ୍ଧିକୁ ସ୍ୱୀକୃତି ପ୍ରଦାନ କରିଛି, ସଂସାରକୁ ଅସାର କହିନାହିଁ କଦାପି । ଏହା ସେଇ ପ୍ରାକୃତ ପ୍ରଜାଧର୍ମ, ଯାହା ଇତିହାସର ରାଜକୀୟ ସ୍ପର୍ଦ୍ଧାକୁ ପରିଣତ କରିପାରିଛି ମାନବୀୟ ସ୍ପର୍ଦ୍ଧାର ପରମ ପ୍ରଶାନ୍ତିରେ । 


      ବୌଦ୍ଧଧର୍ମକୁ ଇତିହାସ ଚିହ୍ନଟ କରିଛି ଭାରତବର୍ଷର ପ୍ରସ୍ଥାନ ପର୍ବରେ । ମାତ୍ର ସମୟ ସୂଚାଇ ଦେଇଛି ଚୀନ୍‌ ଓ ଜାପାନ୍‌ରେ ତା’ର ସଂସ୍ଥାନ ଓ ସଂସ୍ଥାପନ । ସମ୍ପ୍ରତି ଏହି ମାନବଧର୍ମ ଜାପାନ୍‌ ଆନୁକୂଲ୍ୟରେ ଭାରତବର୍ଷରେ ପୁନରାୟ କେବଳ ଗୃହପ୍ରବେଶର ସ୍ୱପ୍ନ ଦେଖୁନାହିଁ, ଏହି ସ୍ୱପ୍ନର ବାସ୍ତବତାରେ ବଂର ଚୀନ୍‌ ସହିତ ଭାରତର ସାମରିକ ବୈରତାର ବିଲୁପ୍ତି ଲାଗି ମଧ୍ୟ ସୁଯୋଗ ଓ ସମ୍ଭାବନା ସୃଷ୍ଟିକରୁଛି । ଭାରତ-ଚୀନ୍‌-ଜାପାନ୍‌ ଯଦି କେବେ ନା କେବେ ପୁନର୍ଜାଗରଣର ମନ୍ତ୍ରଶକ୍ତି ଦ୍ୱାରା ଏକତ୍ରରେ ଉଦ୍‌ବୁଦ୍ଧ ହୋଇପାରିବେ, ତା’ହେଲେ ଏସିଆ ହୋଇଉଠିବ ଏକ ଅଦ୍‌ଭୁତ ପରାଜୟ ମହାଶକ୍ତି। ସାହା ସ୍ୱର୍ଗମର୍ତ୍ତ୍ୟପାତାଳକାମୀ ମାର୍କିନ୍‌ ଅପଶକ୍ତି ପାଇଁ ଅଦୂର ଭବିଷ୍ୟତରେ କେବଳ ଶକ୍ତଧକ୍କାର ଧମକ। ଆମେରିକାର ଅର୍ଥନୈତିକ ଆତଙ୍କବାଦ ଜନ୍ମନେଇଛି ଉପରୋକ୍ତ ମନସ୍ତାତ୍ତ୍ୱିକ ବିପନ୍ନତା ବୋଧରୁ । ଏହି କାରଣରୁ ଏସିଆ, ଯାହାର ଉଇହୁଙ୍କାରୁ ଏକଦା ଉଚ୍ଚାରିତ ହୋଇଉଠିଥିଲା ମହର୍ଷିର ଓଁକାର, ଆଜି ଆମେରିକାର ମହାବିଲୟ ଯୋଜନାରେ ଏକ ଚିରଚିହ୍ନିତ କ୍ଷେତ୍ର। 


    ଏସିଆର ସମାଜ, ସଭ୍ୟତା ଓ ସଂସ୍କୃତି ବିଲୁପ୍ତ ହେଲେ ଭାବ ଉପରେ ସାବ୍ୟସ୍ତ ହେବ ବସ୍ତୁର ବିଜୟ - ଯାହା ଆତଙ୍କବାଦର ଅହିରାଜ ଆମେରିକା ହିଁ ଦିଗ୍‌ବିଜୟ । ଏସିଆର କୃଷିକ୍ଷେତ୍ରର କବର ଉପରେ ନଗର ଗଢିବ ସୌଦାଗର । ସଇତାନି ଶକ୍ତିଶାଳୀ ହେବ ମୁନାଫାର ମୁଖଶାଳା – କୃଷିଭିତ୍ତିକ ଗ୍ରାମସଂଗଠନର କଙ୍କାଳ କେବଳ ସ୍ମାରକିତ କରୁଥିବ ଏକ ମୃତ ସଭ୍ୟତାର ସମାଧି! ପ୍ରଜ୍ଞା, ପ୍ରଶାନ୍ତି ଧନଶକ୍ତି ପରିବର୍ତ୍ତେ ମାର୍କିନ୍‌ ମାର୍କେଟରୁ ମିଳୁଥିବ ଏସିଆର ଅସ୍ଥି, ଅଙ୍ଗାର, ଚିତାଭସ୍ମ! ପୃଥିବୀକୁ ଆତ୍ମା, ହୃଦୟ ଓ ବିବେକର ବାର୍ତ୍ତାରେ ଉଦ୍ଦୀପିତ କରିବା ପାଇଁ ଏସିଆର ଐକ୍ୟ ଆଜି ସମୟର ଆହ୍ୱାନ । ଆମେରିକା ପ୍ରାୟୋଜିତ ଏହି ଗୂଢ ଅଭିସନ୍ଧିସଂପନ୍ନ ଅର୍ଥନୈତିକ ଆତଙ୍କବାଦର କଡା ମୁକାବିଲା ନିହାତି ଜରୁରି । ଏଥିପାଇଁ ଯଦି କୌଣସି ରାଷ୍ଟ୍ର ଆଜି ଅସ୍ଥିର ଏସିଆକୁ ଏକଜୁଟ୍‌ କରିବାର ନେତୃତ୍ୱ ନେଇପାରେ, ତା’ହେଲେ ସେ ହେଉଛି ସୂର୍ଯ୍ୟୋଦୟର ଦେଶ ଜାପାନ୍‌ । ଆଜି ଭ୍ରଷ୍ଟ ଭାରତର ନଷ୍ଟନଥିବାରୁ ନିଶ୍ଚିହ୍ନ କରିଦେବାକୁ ପଡିବ ଆମେରିକାର ସ୍ପଷ୍ଟ ସ୍ୱାକ୍ଷର । ଚୀନ୍‌ର ଚିତ୍ରରୁ ଉଠାଇଦେବାକୁ ହେବ ମାର୍କିନ୍‌ ମାୟାଜାଲ । ଏସିଆର ମହାମଂଚରେ ଅଭିଷିକ୍ତ କରିବାକୁ ହେବ ବୌଦ୍ଧ ଜାପାନକୁ । ଜାପାନକୁ ନେବାକୁ ପଡିବ ନିଷ୍କମ୍ପ ନେତୃତ୍ୱ – ଏସିଆକୁ ଆଉଥରେ ଉଇହୁଂକା ନକରିବାର ବଜ୍ରସଂକଳ୍ପରେ । ମାତ୍ର ଜାପାନ୍‌ ଏଥିପାଇଁ ଆଗେଇ ଆସିବ କେବେ ? ବହୁଦିନରୁ ଭାରତ-ଚୀନ୍‌-ଜାପାନ୍‌ ସରକାରମାନେ କୃଷିରୁ ମୁହଁ ଫେରାଇ ଶିଳ୍ପସାମ୍ରାଜ୍ୟରେ ମସଗୁଲ ଥିଲେ । ଏବେ ଗାଁକୁ ଫେର, କୃଷି ହିଁ ଜୀବନ ବଂଚାଇବ । ଗାଁ, ମା, ମାଟି, ମଣିଷ ସବୁ ଏକାଠି ହୁଅ । ପୁଞ୍ଜିପତିମାନେ କେବେବି ଗାଁ, ମା, ମାଟି, ମଣିଷକୁ ଅନାଇ ନାହାଁନ୍ତି । ସବୁବେଳେ ଗାଁରେ ରହୁଥିବା ମଣିଷ, କୃଷି ଉପରେ ନିର୍ଭର କରୁଥିବା ଲୋକେ ଖାଦ୍ୟବସ୍ତ୍ର, ବାସଗୃହ, ସ୍ୱାସ୍ଥ୍ୟ, ଶିକ୍ଷା ଦରକାର ମୁତାବକ ପାଉନାହାଁନ୍ତି । ଯେଉଁମାନେ ସାରା ବିଶ୍ୱବାସୀଙ୍କ ମୁହଁରେ ଖାଦ୍ୟ ଦେଉଛନ୍ତି, ସେମାନେ ଅର୍ଦ୍ଧାହାର ଅନାହାରରେ ଦିନ ଦିନ ବିତାଇଦେଉଛନ୍ତି । ଅଭାବ, ଅସୁବିଧା, ଦୁଃଖ, କଷ୍ଟ ଏମାନଙ୍କର ଦେହସୁହା ହୋଇଯାଇଛି । ଏବେ ‘ଭାବ’ ଲୋକଙ୍କୁ ଦୁଃଖ ପଡିଛି । ସୁଧଖୋର ସାହୁକାର ପରି ସରକାର କୃଷକମାନଙ୍କୁ କେବଳ ଖାତକ କରିଚାଲିଛନ୍ତି ।

      ଏସିଆର ଚାଷୀ ଆତ୍ମହତ୍ୟା କରି ମରୁଛି, ରାଷ୍ଟ୍ର ଶାସକମାନେ ଶିଳ୍ପପତିମାନଙ୍କ ସହିତ ସାମିଲ୍‌ ହୋଇ ମୁନାଫାର ମିନାର୍‌ ଗଢୁଛନ୍ତି - ନିରନ୍ନ ଜନତାର ଅସ୍ଥିଗଦା ଉପରେ । ସମୟ ଥିଲା, କଳକାରଖାନା ଶିଳ୍ପ ନଥିଲା । ଲୋକେ ସେତେବେଳେ ମଣିଷ ଥିଲେ । ମାଟିକୁ ‘ମା’ ମଣି ଚାଷ କରି ଖାଦ୍ୟ ଉତ୍ପାଦନ କରି ବଂଚିଥିଲେ । ଶିଳ୍ପ ବିପ୍ଳବ ପରେ କୃଷି ଧିରେ ଧିରେ ଧ୍ୱଂସମୁଖୀ ହେଲା । ଯନ୍ତ୍ର ସାହାଯ୍ୟରେ କୃତ୍ରିମ ଉପାୟରେ ଖାଦ୍ୟ ଉତ୍ପାଦନ ହେଲା । କୃଷିକ୍ଷେତ୍ରରେ ନିଯୁକ୍ତ ଶ୍ରମଜୀବିମାନେ ବାଧ୍ୟହୋଇ ଶିଳ୍ପରେ ନିଯୁକ୍ତି ପାଇଁ ସହରାଭିମୁଖୀ ହେଲେ । ଗାଁ ହେଲା ଖାଁ ଖାଁ । ହୁଡା, ହିଡ, ହାଡର ହାହାକାର ଆଉ ହା’ଅନ୍ନର ହତାଶରେ ହଜିଗଲା ସରଳସବୁଜ ସ୍ୱପ୍ନ...ଜୀବନ । କୃଷିକାର୍ଯ୍ୟକୁ ଲୋକେ ବେଶି ପସନ୍ଦ କଲେନି । କୃଷି-କୃଷକ ଅବହେଳିତ ହେଲେ । ଏବେ କଳକାରଖାନା ଶିଳ୍ପରେ ମାନ୍ଦାବସ୍ଥା ଭୟଙ୍କର ଭାବେ ଦେଖାଦେଇଥିବାରୁ ପୁଣି ସହରାଭିମୁଖୀ ଶ୍ରମଜୀବୀ କୃଷି କାର୍ଯ୍ୟକୁ ଆପଣେଇ ନେବା ହଠାତ୍‌ ସମ୍ଭବ ନୁହେଁ । ତେବେ ବଂଚିବା ପାଇଁ ପରିସ୍ଥିତକୁ ଆପଣେଇ ନେଇ ସରକାରଙ୍କୁ ବାଧ୍ୟ କରିବାକୁ ହେବ ରାଜକୋଷରୁ ଆଖିବୁଜି ଅର୍ଥ ମୁକୁଳାଇ କୃଷି ଜଳସେଚନରେ ଖର୍ଚ୍ଚ କର । ନୁଆ କେନାଲ ଖୋଳ, ପୁରୁଣା କେନାଲ, ପୂର୍ତ୍ତି ହୋଇଯାଇଥିବା ନଦୀନାଳକୁ ସଜାଡ । ବ୍ୟାପକ ଜଳସେଚନ ପାଇଁ କେନାଲ ଓ ନଦୀର ସଂଯୋଗିକରଣ କର । ଜଳସେଚନ ହେଲେ ଟାଙ୍ଗରା ଭୂଇଁ ସବୁଜ ହୋଇଉଠିବ ପୁଣି । ପର୍ଯ୍ୟାପ୍ତ ଖାଦ୍ୟ ଉତ୍ପାଦନ ହୋଇ ଅନ୍ତତଃ ଲୋକେ ଦି’ଓଳି ଦି’ମୁଠା ଖାଇବାକୁ ପାଇବେ ।  କୃଷି ହିଁ କୃଷ୍ଟି । କାସ୍ପିୟାନ୍‌ ହ୍ରଦକୂଳରୁ ହିମାଦ୍ରି-ବିନ୍ଧ୍ୟାଦ୍ରି-ସହ୍ୟାଦ୍ରି-ଶେଷାଦ୍ରିର ପୁଣ୍ୟଭୂମି ଭାରତକୁ ଆସିଥିଲେ ଆର୍ଯ୍ୟମାନେ । ଏଇଠି ହିଁ ସେମାନେ ଆଦିମ ଅଧିବାସୀ, ବନବାସୀ ଓ ଦ୍ରାବିଡମାନଙ୍କ ସହିତ ସାମିଲ୍‌ ହୋଇଗଲେ ଏକ ମହାଭାରତୀୟ ଜନସ୍ରୋତରେ । ଚାରଣକ୍ଷେତ୍ରରୁ କୃଷିକ୍ଷେତ୍ର – ସଭ୍ୟତାରୁ ସଂସ୍କୃତି – ଏଇଠି ଏସିଆ ହେଲା ଅଗାମୀ ମାନବସଭ୍ୟତାର ଅନ୍ତୁଡିଶାଳ । ଚୀନ୍‌ ଓ ଜାପାନ୍‌ ମଧ୍ୟ ଏଇ କୃଷିକୁ କେନ୍ଦ୍ରବିନ୍ଦୁ କରି କୃଷ୍ଟି ରଚନା କଲେ । ଏସିଆର ଏଇ ଅନ୍ତୁଡିଶାଳକୁ ଆମେରିକା ଆଜି ମଶାଣିପଦା କରିବାକୁ ମତଲବରେ ମସ୍ତ । ଏସିଆର ଏକାନ୍ନବର୍ତ୍ତୀ ପାରିବାରିକତା ଲୋପ ପାଇଛି, ଯେତେବେଳେତାର କୃଷି କ୍ଷେତ୍ରଗୁଡିକ କୁରୁକ୍ଷେତ୍ର ପାଲଟିଛି । ଏବେ କୃଷି ଓ କୃଷକବର୍ଗକୁ ପ୍ରବଂଚିତ କରିବାର ସରକାରୀ କାର୍ଯ୍ୟକ୍ରମ ପଛରେ ଆମେରିକାର ଆଭିମୁଖ୍ୟ ସ୍ପଷ୍ଟ ପ୍ରତିଫଳିତ । ଏ ଦିଗରେ ଅଧିକ ତର୍ଜମା ନିହାତି ଜରୁରି । 


     ଏସଆ ବଂଚାଅ ଅଭିଯାନ ଏକ ମାନବିକ ମହାଭିଯାନ । ଏ ମହାର୍ଘ ମହାଭିଯାନର ମହାନାୟକ ହେବ ଗଣଦେବତାର ସେଇ ଗରିବଗୋତ୍ର : କୃଷକ । ଯଦି ଏକ ସୁସ୍ଥ ସମାଜର କେନ୍ଦ୍ରବିନ୍ଦୁ କୃଷକର କୃତିକୁ ନେଇ ସୃଷ୍ଟି କରାଯାଏ, ତା’ହେଲେ ସଭ୍ୟତା ଓ ସଂସ୍କୃତି ସୁରକ୍ଷିତ ରହିବା ଦିଗରେ କୌଣସି ଶ୍ରେଣୀଶତ୍ରୁର ଶଇତାନି ସକ୍ରିୟ ହୋଇପାରିବନାହିଁ । କୃଷକମାନେ ମାଟିର ମଣିଷ କେବଳ ନୁହଁନ୍ତି, ସେମାନେ ସ୍ୱାଭାବିକ ଭାବରେ ଜନସମାଜର ଜାଗ୍ରତ ପ୍ରହରୀ । କୃଷକର ସାହସିକ ସାମର୍ଥ୍ୟକୁ ଗୁଣ୍ଡା ଡକାୟତ, ଗ୍ୟାଙ୍ଗ୍‌ଷ୍ଟର କି ମାଫିଆଚକ୍ର ସୁଦ୍ଧା ସାମ୍ନା କରିବାର ସ୍ପର୍ଦ୍ଧା କରିପାରନ୍ତି ନାହିଁ । ମାତ୍ର ଆଜି ରାଜନୈତିକ ରାହୁ, କେତୁ ଓ ଭସ୍ମାସୁରମାନେ ଶିଳ୍ପପତି ଓ ମାଫିଆଚକ୍ରର ମିଳିତ ଇଶାରାରେ ଜନସମାଜର ବିଶ୍ୱାସରେ ବିଷ ଦେବାକୁ ସୁଦ୍ଧା ପଛଉନାହାନ୍ତି । ଏସିଆ ମହାଦେଶର ଏଇ ଲୋଭୀ ରାଜନୈତିକ ଚକ୍ର ଓ ପ୍ରବଂଚକ ପ୍ରଶାସକ ବ୍ୟୂହ ଭିତରେ ଅସାଧୁ ଆମେରିକା ନିଜ ଅଧର୍ମବିତ୍ତକୁ କାମରେ ଲଗାଇସାରିଛି । ଶିଳ୍ପ ଗଢିଉଠୁଛି କୃଷିର କଂକାଳ ଉପରେ – ଗାଆଁ ହଜିଯାଉଛି ସହର ସୁଅରେ – ବ୍ୟଭିଚାର, ଭ୍ରଷ୍ଟାଚାର, ହତ୍ୟା, ଧର୍ଷଣ, ଅପରାଧର ମାତ୍ରା ବଢିଚାଲୁଛି ଦିନକୁ ଦିନ । ସାମାଜିକତା ଓ ବ୍ୟକ୍ତିକତା ଆଜି ବିପନ୍ନ । ପରିବେଶ ପ୍ରଦୂଷିତ – ଶିଳ୍ପାୟତନର ସଂକ୍ରମଣଶୀଳ ସଂକଟରେ । ଏବେ ସମୟ ଆସିଛି ଏସିଆର ସମାଜକୁ ବଂଚାଇବାକୁ ପଡିବ ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩