ସ୍କୁଲ୍ କୋଠା ନିର୍ମାଣ ପାଇଁ ପାଣି ଆଣୁଛନ୍ତି ଛାତ୍ରଛାତ୍ରୀ
ନବରଙ୍ଗପୁର: ସ୍ୱାକ୍ଷରତା କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ବେଶ ପଛରେ । ଆଦିବାସୀ ଅଧୁ୍ୟଷିତ ଅଞ୍ଚଳରେ ପିଲାଙ୍କୁ ବିଦ୍ୟାଳୟ ଓ ପାଠ ପଢା ପାଇଁ ଅକୃଷ୍ଠ କରିବା ପାଇଁ ସରକାରଙ୍କ ଅନେକ ଯୋଜନା ମଧ୍ୟ ରହିଛି । ବିଦ୍ୟାଳୟ ଗୁଡିକୁ ଦଣ୍ଡ ମୁକ୍ତ ଅଞ୍ଚÿଳ କରାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପରଜା ମିନିଗୁଡି ପ୍ରାଥମିକ ବିଦ୍ୟାଳୟ ରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ପରଜା ମିନିଗୁଡି ପ୍ରାଥମିକ ବିଦ୍ୟାଳୟ ଭିତରେ ଏକ ଘର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସେହି କାମ ରେ ଦୁଇ ଜଣ ଛାତ୍ର ଏକ ବାଲ୍ଟି ରେ ପାଣି ବୋହି ନେଉଥିବା ଦେଖିବାକୁ ମିଳିଛି । ମଧ୍ୟାହ୍ନ ଭୋଜନ ପରେ ପିଲା ମାନେ ଏହି କାମ ରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଥିଲା । ମଧ୍ୟାହ୍ନ ଭୋଜନ ସମୟରେ ୧୯ ଜଣ ପିଲା ଉପସ୍ଥିତ ଥିବା ବେଳେ ପ୍ରଧାନ ଶିକ୍ଷକ ପତି ମାଝୀ ୨୩ ଜଣ ପିଲା ଉପସ୍ଥିତ ଥିବା ଏବଂ ୨୩ ଜଣଙ୍କ ପାଇଁ ରୋଷେଇ ହୋଇଥିବାର ସୂଚନା ଦେଇଛନ୍ତି । ମଧ୍ୟାହ୍ନ ଭୋଜନ ପରେ ଅନ୍ୟ ଛାତ୍ରଛାତ୍ରୀ ଖେଳାଖେଳି କରୁଥିବା ବେଳେ ୨.୩୦ ଯାଏ ସ୍କୁଲରେ କୌଣସି ଶିକ୍ଷକଙ୍କ ଦେଖା ମିଳି ନଥିଲା । ସ୍କୁଲରେ ଜଣେ ପ୍ରଧାନଶିକ୍ଷକ ଏବଂ ଜଣେ ସହକାରୀ ଶିକ୍ଷକ ଥିବା ବେଳେ ସହକାରୀ ଶିକ୍ଷକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଛନ୍ତି ବୋଲି ପ୍ରଧାନଶିକ୍ଷକ କହିଥିଲେ କିନ୍ତୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବୁଝିବା ବେଳେ ସେ ସେଠାରେ ନଥିବା ଜଣାପଡିଥିଲା । ପରେ ପ୍ରଧାନ ଶିକ୍ଷକ ସେ ଛୁଟି ଦରଖାସ୍ତ ଦେଇଛନ୍ତି ବୋଲି କହିଥିଲେ । ସହକାରୀ ଶିକ୍ଷକ ସ୍କୁଲକୁ ଯାଇଥିଲେ ସେ ଉପସ୍ଥାନରେ ଦସ୍ତଖତ କରିଥାନ୍ତେ କିନ୍ତୁ ପରେ ପ୍ରଧାନଶିକ୍ଷକ ସେଠାରେ ସି.ଏଲ ଲେଖିଥିଲେ । ସହକାରୀ ଶିକ୍ଷକଙ୍କ ଛୁଟି ଦରଖାସ୍ତରେ ୧୩ ତାରିଖ ପାଇଁ ଛୁଟି ଆବେଦନ କରିଥିବା ବେଳେ ତାହାକୁ ୧୬ ତାରିଖ କରାଯାଇଛି । ଏହି ସବୁର ଭିଡିଓ ଉତ୍ତୋଳନ କରି ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କୁ ଦିଆଯାଇଛି । ବିଦ୍ୟାଳୟର ଏହି ଭଳି ଅବ୍ୟବସ୍ଥା ବିଷୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ଧାରୁଆଙ୍କୁ ଜଣେଇବା ପରେ ସେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ନନ୍ଦାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାହାନ୍ତି ଏବଂ ଝରିଗାଁ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନେ ଉପରିସ୍ଥ ଅଧିକାରୀ ଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟ ରେ ଅବହେଳା କରୁଥିବା ଏଥିରୁ ଅନୁମାନ କରାଯାଇ ପାରେ । ସ୍କୁଲକୁ ଶିକ୍ଷକମାନଙ୍କ ଭରସାରେ ପିଲାଙ୍କୁ ଛାଡୁଥିବା ବେଳେ ପିଲାଙ୍କୁ ଛାଡି ଶିକ୍ଷକ ମାନେ ଅନୁପସ୍ଥିତ ରହିବା ଏବଂ ଛୋଟ ଛୋଟ ପିଲାମନଙ୍କୁ ଏହି ଭଳି କାର୍ଯ୍ୟରେ ନିୟୋଜିତ କରିବା ଚିନ୍ତାର ବିଷୟ ବୋଲି ଅବିଭାବକ ମାନେ କହିଛନ୍ତି ।