ସ୍କୁୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଆନନ୍ଦପୁର:  ଶିକ୍ଷକ ଅଭାବକୁ ନେଇ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି  ହାଟଡିହି ବ୍ଲକ ଅନ୍ତର୍ଗତ ଅକାରୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରେ ମୋଟ ୮ଟି ଶ୍ରେଣୀରେ ୨୦୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବା ବେଳେ, ଶିକ୍ଷକ ହେଉଛନ୍ତି ୬ଜଣ । ତନ୍ମଧ୍ୟରୁ ପ୍ରଧାନ ଶିକ୍ଷକ ଅଫିସ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ୨ ଜଣ ଶିକ୍ଷୟିତ୍ରୀଙ୍କୁ ହାଟଡିହି ଶିକ୍ଷାଧିକାରୀ ଡେପଲୟମେଣ୍ଟରେ ଅନ୍ୟତ୍ର ନେଇଯାଇଛନ୍ତି । ସେହିପରି ବିଭିନ୍ନ ଟ୍ରେନିଂ କିମ୍ବା ଛୁଟିରେ ଯଦି କେହି ପଳେଇଲେ ସେଦିନ ସ୍କୁଲରେ ପାଠ ପଢ଼ା ଠପ । ସେଦିନ ଛାତ୍ରଛାତ୍ରୀଙ୍କୁ ତଦାରଖ କରିବା କଷ୍ଟ ସାଧ୍ୟ ହୋଇପଡୁଛି । ସେହିପରି ପରୀକ୍ଷା ଆଉ ମାତ୍ର ଦୁଇ ମାସ ବାକିଥିବା ବେଳେ, ଶିକ୍ଷକ ଅଭାବରୁ ପିଲାଙ୍କ ପାଠ ପଢ଼ାରେ ବ୍ୟାପକ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଅଧିକ ଶିକ୍ଷକ ନିଯୁକ୍ତି ଦାବିରେ ଆଜି ବିଦ୍ୟାଳୟ ଗେଟ୍କୁ ତାଲା ପକାଇ ଗେଟ ବାହାରେ ପରିଚାଳନା କମିଟି ସଭାପତି ଅଭିନ୍ନ ଖଟୁଆଙ୍କ ନେତୃତ୍ୱରେ ଅଭିଭାବକ ଗୋକୁଳ ଜେନା, ସତ୍ୟବ୍ରତ ଜେନା, ମୁରଲୀ ଜେନା, ପୁରୁସ୍ତମ ଘଡେଇ, ପ୍ରଫୁଲ୍ଲ ଖଟୁଆ, ସବିତା ଜେନା, ମାନସୀ ଖଟୁଆ, ସୁଲୋଚନା ଖଟୁଆ, ମାନସୀ ଜେନା, ସୁଲୋଚନା ଜେନା, ସଞ୍ଜୁଲତା ଜେନାଙ୍କ ସମେତ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ତେବେ ଏନେଇ ହାଟଡିହି ଏବିଇଓ ପ୍ରମୋଦ ନାଏକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଖୁବ୍ ଶୀଘ୍ର ନୂତନ ଶିକ୍ଷକ ନିଯୁକ୍ତି ଦିଆଯାଇ ଶିକ୍ଷକ ଅଭାବ ଦୂର କରାଯିବ ବୋଲି କହିଥିଲେ ।