ସ୍ତନ୍ୟପାନ ଶିଶୁକୁ ମା’ହୃଦୟର ନିକଟତର କରେ : ପ୍ରଭାତୀ
ଭୁବନେଶ୍ୱର : ସ୍ତନ୍ୟପାନ ଯୋଗୁଁ ଶିଶୁ ମାଆ ହୃଦୟର ଆହୁରି ନିକଟତର ହୋଇପାରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୫ ଅବସରରେ ମତବ୍ୟକ୍ତ କରିଛନ୍ତି । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନ କନଭେନସେନ ସେଣ୍ଟରରେ ରାଜ୍ୟସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୫ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀମତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ତନ୍ୟପାନ ଦ୍ୱାରା ଉଭୟ ମାଆ ଓ ଶିଶୁର ସ୍ୱାସ୍ଥ୍ୟ ଭଲ ରହିବ ବୋଲି ମତ ପ୍ରକାଶ କରିଥିଲେ । ସ୍ତନ୍ୟପାନ ଦ୍ୱାରା ମହିଳାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସ୍ତନ୍ୟ କର୍କଟ ଓ ଡିମ୍ବାଶୟ କର୍କଟ ଭଳି ଭୟଙ୍କର ରୋଗକୁ ବହୁ ମାତ୍ରାରେ ଏଡାଇ ଯାଇପାରିବ । ଶିଶୁର ପ୍ରାରମ୍ଭିକ ୬ ମାସର ନିରନ୍ତର ସ୍ତନ୍ୟପାନ ଉଭୟ ମା ଓ ଶିଶୁର ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକେଇଥାଏ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଓଡିଶାରେ ସ୍ତନ୍ୟପାନର ହାର ବୃଦ୍ଧି କରିବାକୁ ସେ ଆହ୍ୱାନ ଦେଇଥିଲେ ।
ଆଭାଷୀ ମାଧ୍ୟମରେ ଓଡିଶା ରାଜ୍ୟ ମହିଳା ଆୟୋଗର କାର୍ଯ୍ୟାଳୟରେ ଏକ ଶିଶୁ ସ୍ତନ୍ୟପାନ କକ୍ଷ ଉଦଘାଟନ କରି ଶ୍ରୀମତୀ ପରିଡା ସମସ୍ତ ସରକାରୀ ଓ ଅଣସରକାରୀ ସର୍ବସାଧରଣ ସ୍ଥାନମାନଙ୍କରେ ଶିଶୁ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା କରିବା ପାଇଁ ପରାମର୍ଶ ଦେଇଛନ୍ତି । ଅଙ୍ଗନବାଡି ହେଲା ଶିଶୁର ଦ୍ୱିତୀୟ ମା’ ଘର । ଅଙ୍ଗନବାଡିକୁ ଆହୁରି ଉନ୍ନତ କରିବା ପାଇଁ ଅଗଷ୍ଟ ୧ରୁ୧୫ ‘ଆସ ବୁଲିଯିବା ଅଙ୍ଗନବାଡି’ ଅଭିଯାନରେ ଅଙ୍ଗନବାଡିକୁ ପରିଦର୍ଶନ କରିବା ପାଇଁ ଶ୍ରୀମତୀ ପରିଡା ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିଦେ୍ର୍ଦଶିକା ମୋନିଷା ବାନାର୍ଜୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସହକାରୀ ନିଦେ୍ର୍ଦଶିକ ଡ. ଆଦିତ୍ୟ ମହାପାତ୍ର, ୟୁନିସେଫର ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡାଙ୍କ କରକମଳରେ ‘ଲୋକ କଲ୍ୟାଣ’ ଅନଲାଇନ ୱେବ୍ ଲିଙ୍କ ଫର୍ମ ଲୋକାର୍ପଣ ହୋଇଯାଇଛି ।