ସ୍ଥାପନ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ସ୍କୁଲର ଭିତ୍ତିପ୍ରସ୍ତ
କେନ୍ଦୁଝର : ରାଜ୍ୟରେ ଭାଜପା ସରକାରର ୧ବର୍ଷ ପୂତ୍ତି ଅବସରରେ ରାଜ୍ୟ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆସନ୍ତା ୧୨ ତାରିଖ ଦିନ ଆରମ୍ଭ କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିବେ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନାରେ ପ୍ରତି ପଂଚାୟତରେ ସତ୍ୟବାଦୀ ବନ ବିଦ୍ୟାଳୟ ଢାଞ୍ଚାରେ ପାଠପଢା ହେବ । ମୋହନ ଚରଣ ମାଝୀ ବିରୋଧି ଦଳ ମୁଖ୍ୟ ସଚେତକ ଥିବା ସମୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ କେନ୍ଦୁଝର ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରିବାକୁ ଜିଲ୍ଲାପାଳ ଏବଂ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ବାରମ୍ବାର ଏ ନେଇ ଚିଠି କରି ଜଣାଇବା ପରେ ମଧ୍ୟ ସରକାର ଏହାକୁ ଗ୍ରହଣ କରି ନ ଥିଲେ । ବିଜେପି ସରକାର ଆସିବା ପରେ ଏବଂ ସେ ନିଜେ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଯୋଜନାକୁ ଆରମ୍ଭ କରିଛନ୍ତି । ପ୍ରାଥମିକ ବିଦ୍ୟାଳୟରେ ଠିକ୍ ଭାବରେ ପାଠ ପଢା ହେଉ ନ ଥିବାରୁ ହାଇସ୍କୁଲରେ ଭଲ ଫଳାଫଳ ହେଉନାହିଁ । ଏହି ଯୋଜନା ଆରମ୍ଭ ହେଲେ ପ୍ରାଥମିକସ୍ତରରେ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ । ସ୍କୁଲରେ ଅଧ୍ୟୟନ କରୁଥିବା ପାଠପଢାରେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର କୋଚିଂ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିବ ।କେନ୍ଦୁଝର ଜିଲ୍ଲାରେ ମୋଟ ୯୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ, ପ୍ରଥମ ପର୍ଯ୍ୟାୟରେ ୨୦ଟି ଉଚ୍ଚ ପ୍ରାଥମିକ ସ୍କୁଲରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ପଡିବ । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଲାଗି ହେବାକୁ ଥିବା ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ସାଂସଦ ଏବଂ ବିଧାୟକ ଅତିଥିଭାବେ ଯୋଗଦେବେ ।