ସ୍ୱାଧୀନତା ସଂଗ୍ରାମୀଙ୍କ ଶ୍ରାଦ୍ଧ ବାର୍ଷିକୀ
ନିମାପଡ଼ା: ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ମୋହନ ଦାସଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକ ପତିତପାବନ ସେବା ସଂଘ ଠାରେ ପାଳିତ ହୋଇଯାଇଛି । ମୋହନ ଦାସ ସ୍ମୃତି ସଂସଦ, ପତିତପାବନ ସେବା ସଂଘ ଓ ନିମାପଡା ଶହୀଦ ସ୍ମୃତି ସଂସଦର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ମୋହନ ଦାସ କେବଳ ନିମାପଡାର ନୁହଁ ସେ ସମଗ୍ର ଓଡିÿଶାର ଥିଲେ ଜଣେ ଅପ୍ରତିଦ୍ୱନ୍ଦୀ ନେତୃତ୍ୱ । ସେ ସମାଜର ସାମଗ୍ରିକ ବିକାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ତାଙ୍କ ହୃଦୟ ଥିଲା ସାମ୍ୟବାଦର ସୁଦୃଢ ଭିତିଭୂମି । ସାରା ଜୀବନର ସଂଚିତ ଅର୍ଥକୁ ସେ ବନ୍ୟା ପ୍ରପୀଡିତ ମଣିଷଙ୍କ ପାଇଁ ଦାନ କରି ଦେଇଥିଲେ । ପତିତପାବନ ସେବା ସଂଘ ସମ୍ପାଦକ ଜଗତ ପ୍ରସାଦ ସାବୁତଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯକ୍ରମରେ ମୋହନ ଦାସଙ୍କ ମାନବ ସମାଜକୁ ଅବଦାନ ଉପରେ ଆଲୋକପାତ କରାଯାଇଥିଲା । ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ତଥା ମୋହନ ଦାସ ସ୍ମୃତି କମିଟିର ସମ୍ପାଦକ ସନ୍ତୋଷ ଦାଶ, ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ୍ତ ଖଟୋଇ, ଭାରତୀୟ କମୁ୍ୟନିଷ୍ଟ ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଦେବେନ୍ଦ୍ର ସାହୁ, ଜିଲ୍ଲା କମୁ୍ୟନିଷ୍ଟ ପାର୍ଟି ସମ୍ପାଦକ କୃଷ୍ଣ ଚନ୍ଦ୍ର ରାଉତ, ଶହୀଦ ସ୍ମୃତି ସଂସଦର ସମ୍ପାଦକ ଡ. ବେଣୁଧର ସେନାପତି, ସମାଜସେବୀ ଜିବନାନନ୍ଦ ମହାପାତ୍ର ଓ ବସନ୍ତ କୁମାର ପାତ୍ର ଉପସ୍ଥିତ ଥିଲେ । ସଂଗ୍ରାମୀ ମୋହନ ଦାସଙ୍କ ପ୍ରତିମୂର୍ତ୍ତିକୁ ନିମାପଡା ଛକରୁ ଅନ୍ୟତ୍ର ଉଠାଇ ଦେବାକୁ ହେଉଥିବା ମସୁଧାକୁ ଉପସ୍ଥିତ ଅତିଥି ଓ ବୁଦ୍ଧିଜୀବୀମାନେ ନାପସନ୍ଦ କରିଥିଲେ ।