ହତ୍ୟାକାରୀଙ୍କ ଟେର ପାଉନି ପୁଲିସ୍ : ଆଇନ୍ଜୀବୀ ପୀତବାସ ହତ୍ୟାକାଣ୍ଡ
ବ୍ରହ୍ମପୁର : ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡରେ ଦେଶୀ ବନ୍ଧୁକ ବ୍ୟବହାର କରାଯାଇଥିଲା । ସୁପାରିକିଲରମାନେ ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍ । ତେବେ ହତ୍ୟା ପଛରେ ବ୍ୟକ୍ତିଗତ, ବୃତ୍ତିଗତ ନା ରାଜନୀତିକ କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଅପରପକ୍ଷରେ ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସର ୬ ଟିମ୍ ତଦନ୍ତ ଜୋରଦାର କରିଛି । ସେହିପରି ୫୦ରୁ ଉଦ୍ଧ୍ୱର୍ ସିସିଟିଭି ବି ଯାଞ୍ଚ କରାଯାଉଛି ।
ବ୍ରହ୍ମପୁର ଇତିହାସରେ ପ୍ରଥମ ଥର କରି ଜଣେ କର୍ତ୍ତବ୍ୟନିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ନିଜ ଗୃହ ନିକଟରେ ଅତି ନିକଟରୁ ହତ୍ୟା କରାଗଲା । ହତ୍ୟା ଘଟଣା ଘଟିବାର ୩୬ ଘଣ୍ଟା ବିତି ଯାଇଥିଲେ ବି ପୁଲିସ ହାତ ଏବେ ବି ଖାଲି ରହିଛି । ଆଜି ସାରା ରାଜ୍ୟରେ ଆଇନଜୀବୀ ମାନେ ଏହି ହତ୍ୟା କାଣ୍ଡକୁ ଦୃଢ଼ ଭାବେ ନିନ୍ଦା କରି ପେନ ଡାଉନର ଆହ୍ୱାନ ଦେଇଛନ୍ତି । ପୀତବାସ ବାବୁଙ୍କୁ କିଏ- କାହିଁକି- ହତ୍ୟା କଲା ଏବେ ବିଭିନ୍ନ ମହଲରୁ ପ୍ରଶ୍ନ କରାଯାଉଛି । ପୀତବାସ ପଣ୍ଡାଙ୍କ ଦବଦବା ସାଙ୍ଗକୁ ଦଳରେ ତାଙ୍କର ପତିଆରା ଦିନକୁ ଦିନ ବଢ଼ିବାରେ ଲାଗିଥିଲା । ଏହି କାରଣରୁ ତାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟେଇବା ପାଇଁ ଏକ ସୁଚିନ୍ତିତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ହତ୍ୟାକାରୀମାନେ ସେମାନଙ୍କ ମିସନ୍ରେ ସଫଳ ହେଲେ । କିଏ କାହାର ଚୌକିକୁ ସୁରକ୍ଷିତ ରଖିବା ପାଇଁ ଏଭଳି ସୁପାରୀ କିଲରମାନଙ୍କ ସହାୟତା ନେଲା ତାହାକୁ ନେଇ ସହରରେ ଚାରିଆଡେ ଚର୍ଚ୍ଚା ହେଉଛି ।
ସୂଚନାଥାଉକି ଏହି ହତ୍ୟାକାଣ୍ଡ ପଛରେ ଅନେକ କାରଣ ବି ଉଙ୍କି ମାରୁଛି, ରାଜନୈତିକ ଶତ୍ରୁତା, ବ୍ୟବସାୟ ଭିତ୍ତିକ ଶତ୍ରୁତା ଯାହାକି ଖଣି ବିଭାଗ ଏବଂ ଆରଟିଆଇ ଏହାର କାରଣ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପୁଲିସ ଅପରାଧୀ ମାନଙ୍କ ଟେର ପାଉନି ଅନ୍ଧାରରେ ବୁଲାଉଛି ବାଡ଼ି । ଏହି ହତ୍ୟାକାଣ୍ଡ ପଛରେ ଥିବା ମାଷ୍ଟରମାଇଣ୍ଡକୁ ଖୋଜୁଛି ପୁଲିସ । ସହରରେ ପୀତବାସଙ୍କ ଘରକୁ ସଂଯୋଗ କରୁଥିବା ବିଭିନ୍ନ ଲାଇନର ୫୦ରୁ ଉଦ୍ଧ୍ୱର୍ର୍ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ପୀତବାସଙ୍କ ଘରକୁ ଯାଇ ପଚାରା ଉଚରା ଜାରିରଖିଛି । ତାଙ୍କ ଲିଙ୍କରେ ଥିବା ସମସ୍ତଙ୍କୁ ଯାଞ୍ଚ କରୁଛି । ପୁଲିସ ଜୋରସୋରରେ ଏହି ହତ୍ୟାକାଣ୍ଡର ସୁରାକ ଖୋଜିବାରେ ଲାଗିପଡିଛି । ଖୁବ ଶୀଘ୍ର ଅପରାଧୀ ଧରାପଡିବେ ବୋଲି ପୁଲିସ କହିଛି । କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଅପରାଧୀ କେବେ ଧରାପଡିବେ । ତେବେ ପୁଲିସ ୬ଟି ଟିମ କରି ଅପରାଧୀକୁ ଧରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ପ୍ରାଥମିକ ତଦନ୍ତରୁ ଅପରାଧୀ ମାନେ ଫେକ ନମ୍ବର ଥିବା ବାଇକରେ ଆସିଥିଲେ ଏବଂ ଧଳା ସାର୍ଟ ମୁଣ୍ଡରେ ହେଲମେଟ ଲଗାଇଥିବା ପୁଲିସ କହିଛି । କୁମାର ପୂର୍ଣ୍ଣିମା ପରି ଦିନରେ ପୁଲିସର ଢିଲା ପାଟ୍ରୋଲିଂ ଯୋଗୁଁ ଅପରାଧିକ ତତ୍ତ୍ୱମାନେ ଏହାର ସୁଯୋଗ ନେଇ ଏତେବଡ କାରନାମା କରିଦେଲେ । ଏହି ହାଇ ପ୍ରୋଫାଇଲ ହତ୍ୟାକୁ ନେଇ ପୁଲିସ ଏବେ ସକ୍ରିୟ ହୋଇଥିବାବେଳେ ହତ୍ୟାକାରୀ ଓ ପରଦା ପଛର ଥିବା ମାଷ୍ଟେର ମାଇଣ୍ଡକୁ କେବେ ଧରୁଛି ତାହା ସମୟ କହିବ।