ହନୁମାନଙ୍କ ଆଦର୍ଶ ଅନୁସରଣ କରିଛୁ 

 ନୂଆଦିଲ୍ଲୀ  : ଭାରତୀୟ ସେନା ସୈନିକଙ୍କ ସମ୍ମାନାର୍ଥେ ଭାରତ ମାତା କି ଜୟ ସ୍ଲୋଗାନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଭାରତୀୟ ସେନା ଆମ ସମସ୍ତଙ୍କୁ ଗର୍ବିତ କରିଛି । ଅପରେସନ ସିନ୍ଦୂର ଅଧୀନରେ ଆତଙ୍କବାଦୀ ଆଡ୍ଡା ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିରକ୍ଷା ମନ୍ତ୍ରୀ ନିଜର ଟିପ୍ପଣୀ ଦେବା ସମୟରେ ରାମଚରିତମାନସର ଏକ ଶ୍ଳୋକକୁ ଉଦ୍ଧୃତ କରି କହିଥିଲେ- ‘ଆମେ ହନୁମାନଙ୍କ ଆଦର୍ଶକୁ ଅନୁସରଣ କରିଛୁ । ଯାହା ସେ ଅଶୋକ ବାଟିକାକୁ ଧ୍ୱଂସ କରିବା ସମୟରେ ଅନୁସରଣ କରିଥିଲେ । ଯେଉଁମାନେ ମୋତେ ହତ୍ୟା କରିଥିଲେ ମୁଁ ସେମାନଙ୍କୁ ହତ୍ୟା କରିବି ।’ ଆମେ କେବଳ ସେମାନଙ୍କୁ ହତ୍ୟା କରିଛୁ ଯେଉଁମାନେ ଆମର ନିଦେ୍ର୍ଦାଷ ଲୋକଙ୍କୁ ହତ୍ୟା କରିଥିଲେ ।
ବୁଧବାର ଅପରେସନ ସିନ୍ଦୂର ପରେ ସୀମା ସଡ଼କ ସଂଗଠନ (ବିଆର୍ଓ)ର ପ୍ରତିଷ୍ଠା ଦିବସରେ ଯୋଗ ଦେଇ ରାଜନାଥ ସିଂହ ଆତଙ୍କବାଦ ବିରୋଧରେ ଭାରତୀୟ ସେନା ଦେଖାଇଥିବା ସାହସିକତା ଓ ବିରତ୍ୱକୁ ପ୍ରଶଂସା କରିଛନ୍ତି । ଏହା ଭାରତ ସେନା ଇତିହାସରେ ଏକ ନୂତନ ଇତିହାସ ସୃଷ୍ଟି କରିଛି ବୋଲି କହିଥିଲେ । ଭାରତୀୟ ସେନା ସଠିକତା, ସତର୍କତା ଏବଂ ସମ୍ବେଦନଶୀଳତାର ସହିତ କାର୍ଯ୍ୟ କରିଛି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।