ହସ୍ତକଳା ଓ ଗ୍ରାମୀଣ ସାମଗ୍ରୀର ହାଟ ପାଲଟିଛି ପଲ୍ଲୀଶ୍ରୀ ମେଳା
ଯାଜପୁର ଟାଉନ: କଳାକୃତି ଓ ସଂସ୍କୃତି ପୂର୍ଣ୍ଣ ଯାଜପୁର ଜିଲ୍ଲା ଓଡ଼ିଶାର ଐତିହ୍ୟ ରାଜଧାନୀ ଭାବରେ ପରିଚିତ । ବୈତରଣୀ ନଦୀର ଉତ୍ତର ଦିଗରେ ଅବସ୍ଥିତ ଏହି ଜିଲ୍ଲା ଐତିହ୍ୟ, ସଂସ୍କୃତି ଏବଂ କାରୁକାର୍ଯ୍ୟ ସମନ୍ୱୟର ଏକ ଉକ୍ରୃଷ୍ଟ ଉଦାହରଣ । ଏହାର ଟସର ହସ୍ତତନ୍ତ, ମାଟି ତିଆରି କାମ, କାଇଁଚ ହସ୍ତଶିଳ୍ପ, ବାଉଁଶ କାରୁକାର୍ଯ୍ୟ ଏବଂ ପଥର କାମ, ଶିଳ୍ପୀ ମଧ୍ୟ ପୁଣ୍ୟର ପ୍ରମାଣ ଦିଏ । ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ହସ୍ତଶିଳ୍ପ ଗୁଡ଼ିକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସମ୍ମାନ ମିଳିଛି । ଜିଲ୍ଲାରେ ୨୦,୦୦୦ରୁ ଊର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟରତ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତ ଶିଳ୍ପ, ହସ୍ତତନ୍ତ ଓ ଗ୍ରାମୀଣ ସାମଗ୍ରୀର ପ୍ରଚାର, ପ୍ରସାର ଓ ବିକ୍ରୟ ନିମନ୍ତେ ପଲ୍ଲୀଶ୍ରୀ ମେଳା ୨୦୨୫ର ଆୟୋଜନ କରାଯାଇଛି । ଜିଲ୍ଲା ମହୋତ୍ସବ ଯଯାତି-୨୦୨୫ ଓ ପଲ୍ଲୀଶ୍ରୀ ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଥିଲେ । ମେଳାରେ ମୋଟ ୨୦୦ଟି ଷ୍ଟଲ୍ ନିର୍ମାଣ କରାଯାଇଛି । ଓଡ଼ିଶାର ୩୦ଟି ଜିଲାର ପ୍ରସିଦ୍ଧ ହସ୍ତକଳା, ହସ୍ତଶିଳ୍ପ, ହସ୍ତ ତନ୍ତ ଓ ଗ୍ରାମୀଣ ସାମଗ୍ରୀ ସ୍ଥାନ ପାଇଛି । ପୁରୀର ପଟ ଚିତ୍ର, ସମ୍ବଲପୁରୀ ଶାଢ଼ୀ, କଟକର ନୂଆ ପାଟଣାର ମାଣିଆ ବନ୍ଧ ଶାଢ଼ୀ, କେନ୍ଦୁଝର ଫୁଲ ବଢ଼ି, କନ୍ଧମାଳ ହଳଦୀ, ଯାଜପୁରର ଟସର ଶାଢ଼ୀ, କେନ୍ଦୁଝରର ପେପର ମ୍ୟାଚି ଆଦି ପ୍ରସିଦ୍ଧ ହସ୍ତକଳା ଓ ଗ୍ରାମୀଣ ଦ୍ରବ୍ୟ ସ୍ଥାନ ପାଇଛି । ଏହା ସହିତ ୮ଟି ରାଜ୍ୟରୁ ବିଭିନ୍ନ ପ୍ରସିଦ୍ଧ ହସ୍ତକଳା ଓ ଦ୍ରବ୍ୟ ମଧ୍ୟ ଉପଲବ୍ଧ ଅଛି । ଆସାମର ବାଉଁଶ କାମ, ଉତ୍ତର ପ୍ରଦେଶର କାର୍ପେଟ, ବନାରସୀ ଶାଢ଼ୀ, ଗୁଜୁରାଟର ମିନାକରି, ରାଜସ୍ଥାନ ଜୁତି ଆଦି ପ୍ରସିଦ୍ଧ ଦ୍ରବ୍ୟ ମଧ୍ୟ ଏହି ମେଳାରେ ସ୍ଥାନ ପାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲୀଶ୍ରୀ ମେଳାର ମଜା ନେବା ପାଇଁ ଦର୍ଶକ ଓ ଗ୍ରାହକଙ୍କର ଭିଡ ଜମୁଛି । ମେଳାରେ ମୟୂରଭଞ୍ଜର ମୁଢ଼ି ମାଂସ, ନୟାଗଡ଼ର ଛେନା ପୋଡ଼, ବାଉଁଶ ଚିକେନ, ହାଇଦ୍ରାବାଦୀ ବିରୀୟାନି, ରାଜସ୍ଥାନୀ ପ୍ରସିଦ୍ଧ ଖାଦ୍ୟ, ତୁର୍କୀ ଆଇସକ୍ରିମ ଆଦି ବିଭିନ୍ନ ଖାଦ୍ୟ ଦ୍ରବ୍ୟର ସମ୍ଭାର ହୋଇଛି । ଅଦ୍ୟାବଧି ବିଗତ ୩ ଦିନରେ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଛି । ପଲ୍ଲୀଶ୍ରୀ ମେଳାକୁ ଓର୍ମାସ ଯାଜପୁର ଓ ଜିଲ୍ଲା ପ୍ରଶାସନ ମିଳିତ ପ୍ରଚେଷ୍ଠାରେ ଅନୁଷ୍ଠିତ କରାଯାଉଛି । ପଲ୍ଲୀଶ୍ରୀ ମେଳା ଗ୍ରାମୀଣ କାରିଗରଙ୍କ ରୋଜଗାରର ହାଟ ପାଲଟିଥିବା ପୁରାତନ ହସ୍ତକଳା, ହସ୍ତତନ୍ତ, ଐତିହ୍ୟ, ସଂସ୍କୃତିକୁ ପୁନର୍ଜୀବିତ କରିବାରେ ସହାୟକ ହୋଇ ପାରିଛି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।