ଷ୍ଟିଲ୍ କାରଖାନା ପାଇଁ ପରିବେଶ ସମ୍ପର୍କିତ ଜନଶୁଣାଣି

 ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଗଜମରା ଠାରେ କଲ୍ୟାଣୀ ଷ୍ଟିଲ୍ସ  ଲିମିଟେଡ୍ ପକ୍ଷରୁ  ପ୍ରାୟ ୧ ହଜାର ଏକର ଜମିରେ ୧.୪୩ ଏମଟିପିଏ କ୍ଷମତା ବିଶିଷ୍ଟ ଗ୍ରୀନ୍ଫିଲ୍ମ ଇଣ୍ଟିଗ୍ରେଟେଡ୍ ୨ ସ୍ପେଶାଲିଟି ଷ୍ଟିଲ୍ କାରଖାନା ପ୍ରତିଷ୍ଠା ପ୍ରକଳ୍ପର ପରିବେଶ ମଞ୍ଜୁରି ନିମନ୍ତେ  ତାଳବରକୋଟ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଗୋଡ଼ି ପଡ଼ିଆ ଠାରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି  । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଲଳିତ ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ରମେଶ ଏକ୍ସା ଯୋଗ ଦେଇ ଅଞ୍ଚଳବାସୀଙ୍କ ମତାମତ ଗ୍ରହଣ କରିଥିଲେ । ଜନଶୁଣାଣିରେ ତାଳବରକୋଟ ଓ ସିଆରିଆ ଗ୍ରାମବାସୀଙ୍କ ପକ୍ଷରୁ ୨୦ଜଣ ବିଭିନ୍ନ ସୁବିଧାଅସୁବିଧା ଓ ସମସ୍ୟା ଦାବି ଉପରେ ମତାମତ ଉପସ୍ଥାପନ କରିଥିଲେ । ୧୪ ବର୍ଷ ତଳୁ ଅଧିଗ୍ରହଣ ହୋଇଥିବା ଜମିର ଉପଯୁକ୍ତ କ୍ଷତିପୂରଣ, ସ୍ଥାୟୀ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଆଦି ସୁବିଧା କରି କମ୍ପାନୀ ପ୍ରତିଷ୍ଠା କରିବାକୁ ଦାବି ରଖିଥିଲେ । ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ସମସ୍ତ ବିଷୟ ପ୍ରତି ଧ୍ୟାନ ଦିଆଯଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରଯିବ ବୋଲି ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ କମ୍ପାନୀ ପ୍ରତିଷ୍ଠାକୁ ବିରୋଧ କରି କିଛି ବିପକ୍ଷବାଦୀ କଲ୍ୟାଣୀ ଗୋ-ବ୍ୟାକ୍ ନାରା ଦେଇ ସେମାନଙ୍କର ରହିଥିବା ୧୦ଦଫା ଦାବିପତ୍ର ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଞ୍ଚଳିକ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । କଲ୍ୟାଣୀ ଷ୍ଟିଲ୍ କାରଖାନା ପ୍ରତିଷ୍ଠା ହେଲେ ଚାଷ, ଜଳ, ଜମି, ଜଙ୍ଗଳ ପ୍ରଦୂଷଣ କାରଣରୁ ସମ୍ପୂର୍ଣ୍ଣ ନଷ୍ଟ ହେବ । ଗୋପାଳନ, ମଇଁଷି ପାଳନ, ଛେଳି ମେଣ୍ଡା ପାଳନ କରି ଚଳୁଥିବା ଗରିବମାନେ ନିଜର ସ୍ଥାୟୀ ଜୀବନ ଜୀବିକା ହରାଇବେ । ଅଞ୍ଚଳର ସୁସ୍ଥ ପରିବେଶ ପ୍ରଦୂଷିତ ହେଇ ହଜାର ହଜାର ଲୋକଙ୍କ ଜୀବନ ଜୀବିକାକୁ ପ୍ରଭବିତ କରିବ ବୋଲି ପୂର୍ବତନ ସରପଞ୍ଚ ଖାଁ ଜୁଲଫତ ଅଲ୍ଲୀ, ସରୋଜ କୁମାର ଭଞ୍ଜ, ସମସେର ଅଲ୍ଲୀ ଖାଁ, ନନ୍ଦକିଶୋର ରାଜ, ଝୁନା ବେହେରା ପ୍ରମୁଖ ପ୍ରକାଶ କରିଥିଲେ । ଶେଷରେ କମ୍ପାନୀର ଆସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଟ୍ ସ୍ମାରକ ମହାତି ସ୍ପଷ୍ଟିକରଣ ଦେଇ କହିଥିଲେ, ଏହି କମ୍ପାନୀ ଗ୍ରୀନ୍ପିଲ୍ମ ପ୍ରଦୂଷଣ ନିରୋଧୀ କାରଖାନା ରହିବ । କମ୍ପାନୀ ପ୍ରତିଷ୍ଠା ହେଲେ ତାପମାତ୍ରା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । କମ୍ପାନୀ ଶତପ୍ରତିଶତ ପ୍ରତିଶ୍ରୁତି ପାଳନ କରିବ ବୋଲି ପ୍ରକାଶ କରିଥିଲେ । ଶେଷରେ ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲ୍ୟାଣୀ ଷ୍ଟିଲ୍ ତରଫରୁ( ଡାଇରେକ୍ଟର ପାର୍ଥ ଏସ୍ ଘୋଷ,  ଉପସଭାପତି ବିନୋଦ ନାୟାର, ଏଭିପି ଗୌରବ ଶୁକ୍ଳା, ସିନିୟର ମ୍ୟାନେଜର  ସୂର୍ଯ୍ୟକାନ୍ତ ପ୍ରଧାନ ଓ କର୍ପୋରେଟ୍  ଯୋଗାଯୋଗ ଭାଇସ୍ ପ୍ଲେସିଡେଣ୍ଟ୍ ମୋତିପ୍ରକାଶ ରଥ ଉପସ୍ଥିତ ଥିଲେ । ସଦର ଏସ୍ଡିପିଓ ରମେଶ ଚନ୍ଦ୍ର ଦୋରା, ଡିଏସ୍ପି ସନ୍ଧ୍ୟାରାଣୀ ବେଉରିଆ, ସଦର ଥାନା ଅଧିକାରୀ ପ୍ରିୟବ୍ରତ ଦାଶ  ପ୍ରମୁଖ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।