ହାତୀ ଉପଦ୍ରବ, ଭାଙ୍ଗିଲେ ୯ ଘର
ଚମ୍ପୁଆ : ଚମ୍ପୁଆ ବ୍ଲକ ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତ ତଥା ଉଖୁଣ୍ଡା ସେକ୍ସନର ରାଇଗୁଡି ଓ ଢିପାସାହି ଠାରେ ୩୫ ଗୋଠିଆ ହାତୀପଲଙ୍କ ଉପଦ୍ରବ ଫଳରେ ୯ଜଣଙ୍କ ଘରଭାଙ୍ଗିଥିବା ଉଖୁଣ୍ଡା ବନପାଳ ପ୍ରଦିପ ବାରିକ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଚମ୍ପୁଆ ବନାଞ୍ଚଳରେ ହାତୀଉପଦ୍ରବ ବର୍ତ୍ତମାନ ନିତିଦିନିଆ ଘଟଣା ପାଲଟି ଗଲାଣି । ହାତୀପଲ ଦ୍ୱାରା ଏକର ଏକର ଚାଷ ଉଜୁଡି ଯାଉଥିବା ବେଳେ ସଂଜ ନଇଁଲେ ହାତୀପଲ ଜଙ୍ଗଲରୁ ବାହାରି ଗ୍ରାମରେ ପ୍ରବେଶ କରି ତାଣ୍ଡବ ଚଳାଉଛନ୍ତି । ଫଳରେ ଗ୍ରାମବାସୀ ମାନେ ନାହିଁନଥିବା କ୍ଷତି ସହୁଛନ୍ତି । ଗତରାତି ଏହି ୩୫ ଗୋଠିଆ ହାତୀପଲ ରାଇଗୁଡି ଅଞ୍ଚଳର ଢିପାସାହିରେ ରାତି ପ୍ରାୟ ୨ଟା ପରେ ପ୍ରବେଶ କରି ଦୁର୍ଯ୍ୟୋଧନ ବେହେରା, ଧିରେନ ନାଏକ, ଅନିରୁଦ୍ଧ ନାଏକ, ରାଧିକା ନାଏକ.ଲକ୍ଷ୍ମିଧର ନାଏକ, ଶ୍ୟାମ ନାଏକ,ଗୁଲଟ ନାଏକ, ଦାଶରଥି ନାଏକ ଆଦିଙ୍କ ଘରକୁ ଭାଙ୍ଗିଦେଇଥିବା ଦେଖିବାକୁ ମିଳିଛି । କେତକଙ୍କ ଘର କାନ୍ଥକୁ କଣା କରିଦେଇଥିବା ବେଳେ କେତେକଙ୍କ ଘର କାନ୍ଥ ଭାଙ୍ଗି ଦେଇଛନ୍ତି । ରାତିଅଧରେ ହାତୀପଲଙ୍କ ଏତାଦୃଶ କାର୍ଯ୍ୟକୁ ନେଇ ଗ୍ରାମରେ ଭୟର ବାତାବରଣ ଦେଖାଯାଇଛି ।