ହାତୀ ସ୍ଥାନାନ୍ତରିତ ପାଇଁ ୧୨ ଘଣ୍ଟିଆ ବନ୍ଦ ପାଳନ

 ଘୁ.ଉଦୟଗିରି : ଦୀର୍ଘ ଦିନ ହେବ ଘୁ.ଉଦୟଗିରିବାସୀଙ୍କ ପାଇଁ ହାତୀ ଉପଦ୍ରବ ବଡ଼ ସମସ୍ୟା ଭାବେ ଉଭାନ ହୋଇଛି । କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଦୀର୍ଘ ୩ବର୍ଷ ହେବ ହାତୀ ଉପଦ୍ରବ ବଢ଼ିବା ସହ ହିଂସ୍ର ଦନ୍ତା ହାତୀ ଗୋଟିଏ ପରେ ଗୋଟିଏ ଉପଦ୍ରବ କରିବାରେ ଲାଗିଛି । ଏହି ହାତୀ ଆକ୍ରମଣରେ ମନୁଷ୍ୟ ଓ ଗୃହ ପାଳିତ ପଶୁଙ୍କର ମୃତୁ୍ୟ ହୋଇଛି । ଉକ୍ତ ହିଂସ୍ର ଦନ୍ତା ହାତୀକୁ ସ୍ଥାନୀୟ ଅଞ୍ଚଳରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସହ ୪ଦଫା ଦାବି ନେଇ ୧୨ ଘଣ୍ଟିଆ ଘୁ.ଉଦୟଗିରିରେ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରାରେ ସ୍ଥାନୀୟ ସହରର ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ଓ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ।  ବନ୍ଦ ପାଳନ ବେଳେ ଶତାଧିକ ମହିଳା ପୁରୁଷ ସ୍ଥାନୀୟ ହାଟ ପଦା ଠାରୁ ଏକ ଶାନ୍ତି ପୂର୍ଣ୍ଣ ରାଲିରେ ବାହାରି ହିଂସ୍ର ଦନ୍ତା ହାତୀକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା, ହାତୀ ଉପଦ୍ରବ ସମସ୍ତ ଗ୍ରାମ ଗୁଡ଼ିକରେ ସୋଲାର ଲାଇଟ୍ ଲଗାଇବା, କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ଓ କନ୍ଧମାଳ ଜିଲ୍ଲାରେ ତୁରନ୍ତ ସ୍ଥାୟୀ "ରକ୍ଷକ ଦଳ’ବା ରାପିଡ୍ ରେସପୋନସ ଟିମ୍ ନିଯୁକ୍ତି କରିବା ପ୍ରମୁଖ ୪ ଦଫା ଦାବି ନେଇ ଏକ ଦାବିପତ୍ର  ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁ ଓ  ବିଡିଓ ଶରତ ଚନ୍ଦ୍ର ମଲ୍ଲିକଙ୍କୁ ପ୍ରଦାନ କରିଥିଲେ । ଉଲ୍ଲେଖ ଯେ, ହିଂସ୍ର ଦନ୍ତା ହାତୀ ଆକ୍ରମଣ ଯୋଗୁଁ ଅଞ୍ଚଳବାସୀନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ବିଗତ ୨ ମାସ ହେଲା ଦନ୍ତା ହାତୀ ହିଂସ୍ର ହୋଇ ଲୋକଙ୍କ ବାଡ଼ି ବଗିଚାରେ ପଶି ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗି ବ୍ୟାପକ କ୍ଷୟ କ୍ଷତି କରୁଛି । ଦୁର୍ଭାଗ୍ୟର ବିଷୟ ସ୍ଥାନୀୟ ଅଞ୍ଚଳର ୩ ଜଣ ଲୋକଙ୍କୁ ଦଳି ଚକଟି ମାରିଦେଇଛି । ଏହା ସହ ଏପର୍ଯ୍ୟନ୍ତ ପ୍ରାୟ ୯ଟି ଗାଈକୁ ମାରି ସାରିଛି । ତେବେ ହିଂସ୍ର ହୋଇଥିବା ଦନ୍ତା ହାତୀକୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ବନ ବିଭାଗ ଓ ଜିଲ୍ଲାପାଳଙ୍କୁ ଅଞ୍ଚଳ ବାସୀ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଯାହାଫଳରେ ପ୍ରତିକାର ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଏକତ୍ରିତ ହୋଇ ରାଲି କରିବା ସହ ବନ୍ଦ ଡାକରା ଦେଇଥିଲେ । ବନ୍ଦ ବେଳେ ସ୍ଥାନୀୟ ଆଇଆଇସି ବିଜୟ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ମହିଳା ଓ ପୁରୁଷ ପୁଲିସ କର୍ମଚାରୀ ସହରର ବିଭିନ୍ନ ସ୍ଥାନରେ ରହି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ ।