ଡ଼ିସିପି ଅଫିସ ସାମ୍ନାରେ ହତ୍ୟାକାଣ୍ଡ; ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ ସଜ୍ଜା
ଭୁବନେଶ୍ୱର, ୨୧ା୧ : ଆଜି ଭୁବନେଶ୍ୱର ଜିଲ୍ଲା ସେସନ୍ସ ଜଜର ବିଚାରପତି, ୨୦୨୨ ମସିହାରେ ସହିଦନଗର ଥାନା ଅଞ୍ଚଳ ଡ଼ିସିପି ଅଫିସ ସାମ୍ନାରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ଦୁଇ ଅଭିଯୁକ୍ତ ଅଶୋକ ଦାସ ଓରଫ କାବୁ ଓ ମନୋଜ ଦାସ ଓରଫ ପପୁନିଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି କୋର୍ଟ ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ସାଗର କୁମାର କୁଣ୍ଡା ମୃତ ସୌମ୍ୟରଞ୍ଜନ କୁଣ୍ଡାଙ୍କ ସାନ ଭାଇ ଅଟନ୍ତି । ମୃତ ସୌମ୍ୟରଞ୍ଜନ ବାଣୀବିହାର ଛକ ନିକଟ ମେଟ୍ରୋ ବିଲ୍ଡିଂ ଏବଂ କଲ୍ୟାଣ ଜୁଏଲାରୀ ମଧ୍ୟବର୍ତ୍ତୀ ତଥା ଡିସିପି ଅଫିସ ନିକଟରେ ଏକ ପାନ ଦୋକାନ କରିଥିଲେ । ସାନ ଭାଇ ସାଗର ମଧ୍ୟ ବଡ଼ଭାଇଙ୍କ ପାନ ଦୋକାନ ନିକଟରେ ଏକ ହୋଟେଲ କରିଥିଲେ । ସବୁଦିନ ବଡ଼ ଭାଇ ଓ ତାଙ୍କ ବାପା ରାତିରେ ଉକ୍ତ ପାନ ଦୋକାନରେ ଶୋଇଥିଲେ । ଗତ ୩୧.୦୮.୨୦୨୨ ତାରିଖ ରାତି ୨ଟା ସମୟରେ, ବଡ଼ ଭାଇ ସୌମ୍ୟରଞ୍ଜନଙ୍କୁ କାବୁ ଓ ପାପୁନି ନାମକ ଦୁଇ ଯୁବକ ସେମାନଙ୍କୁ ଡ଼ାକି ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିବା ଏବଂ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ପିସିଆର ଭ୍ୟାନରେ କ୍ୟାପିଟାଲ ହସ୍ପିଟାଲକୁ ନେଉଥିବା ବିଷୟରେ ଜଣେ ଶୁଭ ମଣ୍ଡଳ ନାମକ ବ୍ୟକ୍ତିଙ୍କ ନିକଟରୁ ସାଗର ଫୋନ ଯୋଗେ ଖବର ପାଇଥିଲେ । ଖବର ପାଇବା ପରେ ଅଭିଯୋଗକାରୀ ସାଗର ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ଯାଇ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଦେଖିଥିଲେ ବଡ଼ ଭାଇ ସୌମରଞ୍ଜନଙ୍କ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିବାର ଦେଖିବାକୁ ପାଇଥିଲେ । ସେହି ସମୟରେ ସୌମ୍ୟଙ୍କ ସ୍ୱାସ୍ଥ୍ୟାବସ୍ତା ଜଟିଳ ହେବାରୁ ତାଙ୍କୁ ତୁରନ୍ତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ସେହିଦିନ ସକାଳ ୬ଟା ୩୦ ସମୟରେ ସୌମ୍ୟରଞ୍ଜନଙ୍କ ମୃତୁ୍ୟ ହୋଇଯାଇଥିଲା । ଏନେଇ ସହିଦନଗର ଥାନାରେ ହତ୍ୟା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ସହିଦନଗର ଥାନା କେସ ନମ୍ବର- ୪୧୮/୨୦୨୨, ଦଫା ୩୦୨/୩୪ରେ ଏକ ହତ୍ୟା ମାମଲା ରୁଜୁକରାଯାଇଥିବା ବେଳେ, ଥାନାର ତକ୍ରାଳୀନ ଭାରପ୍ରାପ୍ତ ଅଧିକାରୀ ହିମାଂଶୁ ଭୂଷଣ ସ୍ୱାଇଁ ଏହାର ତଦନ୍ତ ଭାର ନେଇଥିଲେ । ଶ୍ରୀ ସ୍ୱାଇଁ ଏହି ମାମଲାକୁ ସମସ୍ତ ଦିଗରୁ ସଠିକ ଭାବରେ ତଦନ୍ତ କରିବା ସହିତ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ କାବୁ ଓ ପପୁନିକୁ ଗିରଫ କରିବା ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି ଅଦାଲତ ୧୮ ଜଣ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ କାବୁ ଓ ପପୁନିଙ୍କୁ ଦଫା- ୩୦୨/୩୪ ଆଧାରରେ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଲେଖାଏ ଜୋରିମାନା ଆଦେଶ ଦେଇଛନ୍ତି ଓ ଜୋରିମାନା ଅନାଦେୟ କ୍ଷେତ୍ରରେ ୧ ବର୍ଷ ଅଧିକ କାରାଦଣ୍ଡାଦେଶ ଲାଗି ମଧ୍ୟ ଆଦେଶ ଶୁଣାଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରୋସିକୁ୍ୟଟର ଶରଦ ଚନ୍ଦ୍ର ସାମନ୍ତ(ଓଏସପିଏସ-୧) ଓ ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକୁ୍ୟଟର ରଶ୍ମୀରଞ୍ଜନ ବ୍ରହ୍ମ ପ୍ରମୁଖ ପରିଚାଳନା କରିଥିଲେ ।