୧୦ ଦିନ ବଢିଲା ଧାନ କ୍ରୟ ଅବଧି
ଦଶରଥପୁର : ଧାନ କିଣାକୁ ନେଇ ଉପୁଜିଥିବା ସମସ୍ୟା ଦୂର ପାଇଁ ପ୍ରଶାସନ ପକ୍ଷରୁ କ୍ରୟ ଅବଧିକୁ ୧୦ଦିନ ବଢାଇ ଦିଆଯାଇଛି । ଜିଲାପାଳଙ୍କ ଆଲୋଚନା ପରେ ଧାନ ଉଠାଣ ଅବଧି ଜୁଲାଇ ୧୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ବିଜେପି ନେତ୍ରୀ ବବିତା ମଲ୍ଲିକ କହିଛନ୍ତି । ଆଜି ଶ୍ରୀମତୀ ମଲ୍ଲିକ କମାରଢ଼ିହ ମଣ୍ଡିରେ ଧାନ ଉଠାଣକୁ ନେଇ ଅଚଳାବସ୍ଥା, ଟୋକନ ଅବଧି ସରି ଯାଉଥିବା ଓ ଚାଷୀ ଭାଇଙ୍କ ଅସନ୍ତୋଷ ନେଇ ଯାଜପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ସହୃଦୟତାର ସବୁ ଶୁଣି ଧାନ କିଣା ଅବଧି ଜୁଲାଇ ମାସ ୧୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି କହିଥିଲେ । ପୂର୍ବାହ୍ନରେ କମାରଢ଼ିହ ପ୍ରାଥମିକ କୃଷି ସମବାୟ ସମିତି ନିକଟରେ ଉପସ୍ଥିତ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଚାଷ ଓ ଚାଷୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ବୋଲି ବବିତା କହିବା ସହ ଜଣେ ବି ଚାଷୀର ଟୋକନ ରଦ୍ଦ ହେବନି । ସରକାର ସବୁ ଚାଷୀଙ୍କ ଧାନ କିଣିବେ ବୋଲି ଦୋହରାଇ ଥିଲେ । ମିଲର୍ଙ୍କ ମନମାନି ଯୋଗୁଁ ଆବଶ୍ୟକତା ଅନୁଯାୟୀ ଗାଡ଼ି ଧାନ ଉଠାଣ ପାଇଁ ଆସୁନାହିଁ ବୋଲି ବବିତା ମାନିଥିଲେ । ପୁଣି ଥରେ ଜିଲାପାଳ ଓ ବେସାମରିକ ଯୋଗାଣ ଅଧିକାରୀଙ୍କ ମଣ୍ଡିକୁ ପର୍ଯ୍ୟାପ୍ତ ଗାଡ଼ି ପଠାଯିବା ନେଇ ଆଲୋଚନା କରିବେ ବୋଲି କହିଥିଲେ । ବିଜେପି ନିର୍ବାଚନ ମଣ୍ଡଳୀ ସଂଯୋଜକ ନିରଞ୍ଜନ ବେହୁରିଆ, ଚିନ୍ମୟୀ ପାଣ୍ଡବ ପ୍ରମୁଖ ଉପସ୍ଥିତ ଥିଲେ ।